Unknown

 

 

 

 

 

 

 

 

 

କୁସୁମାଞ୍ଜଳି

ଭକ୍ତକବି ମଧୁସୂଦନ ରାଓ

 

 

 

 

 

 

ଉତ୍ସର୍ଗ

 

ମୋର ପୂଜ୍ୟ-ପାଦ କୈଶୋର-ଗୁରୁ

ପରମାତ୍ମୀୟ ଯୌବନ-ସଖା

ଚିରଜୀବନର ପରମହିତୈଷୀ

ପବିତ୍ର-ସାହିତ୍ୟ-ସେବା-ବ୍ରତରେ ପଥ-ପ୍ରଦର୍ଶକ

ବନ୍ଦନୀୟ କବି ଶ୍ରୀ ରାଧାନାଥ ରାୟ ମହୋଦୟ-

ଶ୍ରୀଚରଣକମଳରେ

‘କୁସୁମାଞ୍ଜଳି’

ଶ୍ରଦ୍ଧାଭକ୍ତିରେ ଉତ୍ସର୍ଗ କଲି ।

 

କଟକ, ୨୫।୧୨।୧୯୦୩ ଶ୍ରୀ ମଧୁସୂଧନ ରାଓ ।

 

 

ନବ ବସନ୍ତ-ଭବନା

 

(୧)

ୠତୁକୁଳପତି ବସନ୍ତ ୠତୁ-ଚକ୍ର-ଅୟନେ

ସମାଗତ ପୁଣି ମଧୁରେ ମଧୁମୟ ଭୁବନେ ।

ମଳୟ ସମୀର କୋମଳେ ଫେଡ଼ି ଦକ୍ଷିଣଦ୍ୱାର

ନବ ଶୁଭବାର୍ତ୍ତା ପ୍ରଚାରେ ହୋଇଅଛି ବାହାର ।

ତରୁଲତା ପାଇ ସେ ବାର୍ତ୍ତା ପୁଷ୍ପବିକାଶ ଛଳେ

ହସନ୍ତି ଆହା କି ଉଲ୍ଲାସେ ଜଳେ କିଅବା ସ୍ଥଳେ ।

ପୁଲକେ ପଲ୍ଲବ-ଦୁକୂଳ ପିନ୍ଧି ଧରଣୀ-ରାଣୀ

ପୁଲକପୂରିତ ଅନ୍ତରେ ପୂଜେ ବିଶ୍ୱବିନ୍ଧାଣି ।

କି ମନ୍ତ୍ର ଲଭିଛି ଅଟବୀ କବି-ପିକ ସୁକ୍ଷଣେ

ଉନ୍ମାଦଇ କୁହୁଝଙ୍କାରେ ମୁହୁର୍ମୁହୁଃ ଭୁବନେ ।

ମଧୁର ସୌରଭତରଙ୍ଗେ ଦଶଦିଗ ପ୍ଳାବିତ,

ମଧୁଶ୍ରୀ ନିଜର ମାଧୁରୀ ଭାବେ ନିଜେ ମୋହିତ ।

ଲଗାଇ ନିଖିଳ-ରଞ୍ଜନ କିବା ଅଞ୍ଜନ ଡୋଳେ

ପଶୁପକ୍ଷୀ-କୀଟପତଙ୍ଗେ ରଙ୍ଗେ ଭ୍ରମନ୍ତି ଭୋଳେ ।

ମୃଗ ମୃଗୀ କରୀ କରିଣୀ ଅଳି ବିହଙ୍ଗକୁଳ

ସ୍ଥାବର ଜଙ୍ଗମସକଳେ ମଧୁ-ରସେ ଆକୁଳ ।

ଆସନ୍ତେ ବସନ୍ତ-ଉତ୍ସବ ଏବେ ଭବ-ଭବନେ,

ପରିଣତ ଜୀର୍ଣ୍ଣ ଧରଣୀ ନବ ନନ୍ଦନବନେ ।

ପ୍ରାଣ-ମନ୍ଦାକିନୀ-ପ୍ରବାହ ମୃତ ଜଡ଼ ପାଷାଣେ

ସଞ୍ଚାରଇ ନବ ପୁଲକ ଅଦଭୁତ ବିଧାନେ ।

ନବୀନ ଯୌବନ-ପ୍ରବାହ କୋଟି କୋଟି ଆକାରେ

ବିକାଶଇ ଶୋଭା-ମୂରତି ଏହି ଜଡ଼ସଂସାରେ ।

ବସନ୍ତ ମାଧୁରୀ-ମଦିରାପାନେ ମାତି ଭୁବନ ।

ଉଦାର ଉବ୍ଦାମ ଉଲ୍ଲାସେ ଗୁଞ୍ଜୁଅଛି ଯୌବନ ।

(୨)

କିନ୍ତୁ କାହିଁକି ରେ ହୃଦୟ ଆଧି-ବ୍ୟାଧି-ଆଳୟେ

ଜରାଜୀର୍ଣ୍ଣ ମୃତ ପରାୟେ ପଡ଼ିରହିଛୁ ଭୟେ ।

ସଂକୁଚିତ ଘୋର ସଙ୍କଟେ ଜରଜର ବିଷାଦେ,

ନିରାଶା-ପ୍ରହାରେ ନିର୍ଜୀବ ଅବସନ୍ନ ପ୍ରମାଦେ ।

ଜୀବନ-ଯୌବନ-ଉତ୍ସାହ-ସ୍ରୋତ ଯାଇଛି ଶୁଖି,

ଲକ୍ଷ୍ମୀଛଡ଼ା ହୋଇଅଛୁ ତୁ ହୀନ କୁତ୍ସିତ ଦୁଃଖୀ ।

ଚଉପାଶେ ଦେଖ ଦାରୁଣ ମୋହ ଦୁର୍ଭିକ୍ଷ ଘୋର,

ଅସ୍ଥିଚର୍ମସାର କଙ୍କାଳ ମାତ୍ର ରହିଛି ତୋର ।

ଇନ୍ଦ୍ରିୟବାସନା-ପିଶାଚୀ ତୋର ପ୍ରାଣଶୋଣିତ

ମୁହୁର୍ମୁହୁଃ ଶୋଷିନେଉଛି ଆରେ ଦଗଧ ଚିତ୍ତ ।

ଅମୃତ-ସନ୍ତାନ-ପଦବୀ ଲଭି ମୃତ୍ୟୁ-ତିମିରେ

ଦିନ ତୋର ଗଲା ବିଫଳେ କର୍ମଭୂମି ମହୀରେ ।

(୩)

ଏ ଘୋର ଦୁର୍ଗତି ବିଷୟ ଦିନେ ଭାଳିଲି ବସି,

ଚୌଦିଗେ ଦିଶିଲା ଅନ୍ଦାର ବୁଦ୍ଧି ନ ପାରେ ପଶି ।

ଅପସରିଗଲା ସହସା ସେହି ଘୋର ତିମିର,

ଉଇଁଲା ହୃଦୟ-ଆକାଶେ ମହାଜ୍ଞାନ-ମିହିର ।

ଫୁଟିଲା ମୋ ଜ୍ଞାନ-ନୟନ-ପଦ୍ମ ସେ ରବିକରେ,

ଦେଖିଲି ଯା ଚର୍ମନୟନେ ଦେଖିନାହିଁ ବିଶ୍ୱରେ ।

ହୃଦୟକନ୍ଦର ଧ୍ୱନିତ ହେଲା ନବ ସଙ୍ଗୀତେ,

ଶୁଣିଲି ଯା ଶୁଣି ନ ଥିଲି ଧ୍ୟାନସ୍ତିମିତ ଚିତ୍ତେ ।

ଆକାଶ-ସମ୍ଭବା ଭାରତୀ ଦିବ୍ୟ ଆଶ୍ୱାସଭାରେ

ଭାଷିଲେ ଏସନ ସମ୍ବୋଧି ହତାଶ୍ୱାସ ଏ ନରେ ।

(୪)

ଅନାଇଣ ବାରେ ଦେଖ ରେ ଜୀବ ! ନିଜ ଅନ୍ତରେ,

ଅନନ୍ତ-ଜୀବନ-ଆଧାର ସତ୍ୟ-ଶିବ-ସୁନ୍ଦରେ ।

ଅନନ୍ତ ସରସ ବସନ୍ତ ମଧୁମୟ ଉତ୍ସବ,

ଅନନ୍ତ ଜୀବନ ଯୌବନ ମହାନନ୍ଦ-ବିଭବ ।

ଲେଖିଛନ୍ତି ତୋର ଲଲାଟେ ପ୍ରାଣବିଧାତା ତୋର,

ତେଣୁ ଛିଣ୍ଡାଅ ତୁ ତ୍ୱରିତେ ମୋହ-ବନ୍ଧନ-ଡୋର ।

ଆସକ୍ତି ଲାଳସା କେବଳ ମୃଗତୃଷ୍ଣିକା ଭବେ,

ପରିହରି ତାହା ଝଟିତ ଧ୍ୟାୟ ଶ୍ରେୟ-ଗୌରବେ ।

ପ୍ରେୟପଥ ତେଜି ଶ୍ରେୟର ପଥ ଆଶ୍ରୟ କର,

ବ୍ରହ୍ମପଦେ ପ୍ରାଣ ବିସର୍ଜି ନବଜୀବନ ଧର ।

ଜ୍ୱଳନ୍ତ ଇନ୍ଧନ ପରାୟେ ପ୍ରେମ-ଅନଳେ ଜଳି

ପାପ ପ୍ରଲୋଭନ ଜିଣ ରେ ହୋଇ ଧରମେ ବଳୀ ।

ସାଧ ଏହି ପୁଣ୍ୟମନ୍ତର, ଲଭିବୁ ରେ ଅନ୍ତରେ

ନିତ୍ୟୋତ୍ସବମୟ ବସନ୍ତ ଭବ-ମରୁପ୍ରାନ୍ତରେ ।

ଜୀବନର ଉତ୍ସ ନିର୍ମଳ ଶୁଦ୍ଧ ହେବ କ୍ଷଣକେ,

ବହିବ ଅନ୍ତରେ ଉତ୍ସବ ଧାରା ମହାପୁଲକେ ।

ଆଶା-ପାରିଜାତ ଫୁଟିବ ହୃଦ-ନନ୍ଦନବନେ,

ଜ୍ଞାନ-ଭକ୍ତି-କର୍ମ-ସୌରଭ ବ୍ୟାପି ଯିବ ଜୀବନେ ।

ସ୍ୱରଗର ଶିରୀ-ସମ୍ପଦେ ହେବୁ ତୁହି ସୁନ୍ଦର,

ଅମୃତ-ସଙ୍ଗୀତ-ଝଙ୍କାରେ ପୂରିଯିବ ଅନ୍ତର ।

Image

 

ଏ ସୃଷ୍ଟି ଅମୃତମୟ ହେ

 

ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି

ଏ ସୃଷ୍ଟି ଅମୃତମୟ ହେ,

ଜାଗ ନରନାରୀ ଅମୃତ-ସନ୍ତତି,

ପିଅ ସେ ଅମୃତ ପୟ ହେ,

ପିଇ ସେ ଅମୃତ ଦିବସ-ଶର୍ବରୀ

ଗାଅ ଅମୃତର ଜୟ ହେ ।୧।

ମହାନ ଅନ୍ତର ଉଦାର ଆକାଶ

ତେଜେ ତେଜେ ତେଜୋମୟ ହେ,

ସେ ବରେଣ୍ୟ ଭର୍ଗ ମନ୍ଦାକିନୀଧାରା

ନାଶଇ ମରଣଭୟ ହେ,

ସେ ତିମିର-ହର ଗଗନର ଜ୍ୟୋତି

ପାନେ ହୁଅ ପୁଣ୍ୟାଶୟ ହେ ।୨।

ଅକୂଳେ ଅତଳ ମହା ପାରାବାର

ନାଦେ ନାଦେ ନାଦମୟ ହେ,

ଅବନୀ-ଲକ୍ଷ୍ମୀର ପ୍ରସବିତା ସିନ୍ଧୁ

ନିବିଡ଼ ନୀଳିମାଳୟ ହେ,

ତରଳ ତରଙ୍ଗେ ଢାଳେ ନାଦ-ସୁଧା

ପିଅ ସେହି ତାଳ-ଲୟ ହେ ।୩।

ଅମ୍ବର-ଚୁମ୍ବିତ ମହା ମହୀଧର

ହିମେ ହିମେ ହିମାଳୟ ହେ,

ଧରା-ରାଣୀ-ବେଣୀ କେତେ ଗିରିଶ୍ରେଣୀ

ନିର୍ଝର-ମୁକୁତାମୟ ହେ,

ସେ ଶିଳା-ଲୀଳାରେ ଘନୀଭୂତ ସୁଧା

ପାନେ ପାପ କର କ୍ଷୟ ହେ ।୪।

ଦିଗନ୍ତବିହାରୀ ବାୟୁ ସଦାଗତି

ଶ୍ୱାସେ ଶ୍ୱାସେ ଶ୍ୱାସମୟ ହେ,

ମଳୟ-ଲାସ୍ୟେ ବା ପ୍ରଳୟ-ତାଣ୍ଡବେ

ସଦା ଚଞ୍ଚଳ ଅଥୟ ହେ,

ସେ ମୃଦୁଳ ଲାସ୍ୟେ, ସେ ଚଣ୍ଡ ତାଣ୍ଡବେ

ଅମୃତର ଅଭିନୟ ହେ ।୫।

ମରୀଚିକା-ମୟ ତରୁ-ଶୂନ୍ୟ ମରୁ

ଘୋର ତୃଷା-ରଙ୍ଗାଳୟ ହେ,

ଦିଗନ୍ତବିସ୍ତୃତ ଜ୍ୱଳନ୍ତ ପ୍ରାନ୍ତର

ପଥଶୂନ୍ୟ ନିରାଶ୍ରୟ ହେ,

ସେ ମରୁ ଅନ୍ତରୁ ବହେ ସୁଧା-ସ୍ରୋତ

ପିଅ ସେହି ସୁଧାପୟ ହେ ।୬।

କୋମଳ ଶ୍ୟାମଳ ତୃଣ-ଶସ୍ୟକ୍ଷେତ୍ର

ବନ ତରୁ-ଲତାମୟ ହେ,

ବର୍ଣ୍ଣେ ବିଚିତ୍ରିତ ଶବ୍ଦେ ମୁଖରିତ

ଗନ୍ଧେ ପୂରିତ-ହୃଦୟ ହେ,

ଡାଳେ ଡାଳେ ଢାଳେ ମଧୁରସଧାରା

ଫଳ ପୁଷ୍ପ କିଶଳୟ ହେ ।୭।

ନିତ୍ୟ ବହମାନ ନଦନଦୀମାନ

ସ୍ୱଚ୍ଛ ସରୋବରଚୟ ହେ,

ସମୀର ପରଶେ କଳକଳ-ନାଦୀ

ରମ୍ୟ ବୀଚିମାଳାମୟ ହେ,

ବକ୍ଷରେ ବିମ୍ବିତ ଚନ୍ଦ୍ର ସୂର୍ଯ୍ୟ ତାରା

ଜନମାଏ କି ବିସ୍ମୟ ହେ ।୮।

ଭୂଲୋକ ଦ୍ୟୁଲୋକ ପୁଣି ଅନ୍ତରୀକ୍ଷ

ପ୍ରକୃତିର ନାଟ୍ୟାଳୟ ହେ,

ସ୍ଥାବର ଜଙ୍ଗମ ପଶୁ ବିହଙ୍ଗମ

କୀଟପତଙ୍ଗମଚୟ ହେ,

ରହସ୍ୟ-ପୂରିତ ଏ ଅସୀମ ବିଶ୍ୱ

ଅମୃତେ ଅମୃତମୟ ହେ ।୯।

ପୂର୍ବାଶାର ଦ୍ୱାରେ ଉଭା ଉଷା-ରାଣୀ

ସୁଚି ଭାନୁ-ଅଭ୍ୟୁଦୟ ହେ,

ସ୍ନିଗ୍‍ଧ ଛାୟାମୟୀ       ସନ୍ଧ୍ୟା ମହାଦେବୀ

ଆଦେଶିଣ ଧ୍ୟାନ ଲୟ ହେ,

ଆଲୋକ-ବିଳାସୀ       ଉଜ୍ଜ୍ୱଳ ଦିବସ

କର୍ମ-ଜାଗରଣମୟ ହେ,

ତପସ୍ୱିନୀ ଅବା ଜ୍ୟୋତ୍ସାମୟୀ ରାତ୍ରି

ବିଶ୍ରାମର ସୁସମୟ ହେ,

ବସନ୍ତ ନିଦାଘ ବରଷା ଶରତ

ହିମ ଶୀତ ୠତୁଚୟ ହେ,

ପ୍ରଶାନ୍ତ ଗମ୍ଭୀର ମଧୁର ରୁଚିର

ଦବ୍ୟ ସୁଧା-ସ୍ୱାଦମୟ ହେ ।୧୦।

ଗୃହ ପରିବାର ମାନବ ସମାଜ

ନରନାରୀ ଲୋକାଳୟ ହେ,

ପିତା ମାତା ଭାଇ ଭଗିନୀ ଦମ୍ପତ୍ତି

ତନୟା କିମ୍ବା ତନୟ ହେ,

ଗୁରୁଜନ ବନ୍ଧୁ କିମ୍ବା ଅନ୍ତେବାସୀ

ଆତ୍ମାୟାଦି ଦେବାଳୟ ହେ,

ଦୟାନିକେତନ ଧର୍ମୀଧିକରଣ

ବିଦ୍ୟାଳୟ ଦେବାଳୟ ହେ,

ଶ୍ରଦ୍ଧା ଭକ୍ତି ପ୍ରୀତି ଦୟା ଶୁଭାକାଙ୍‍କ୍ଷା

ପୁଣ୍ୟ ବିଶ୍ୱାସ ବିନୟ ହେ;

ଏ ସକଳ ମଧ୍ୟେ ନିବସନ୍ତି ବିଭୁ

ଶାଶ୍ୱତ ଅମୃତମୟ ହେ ।

ଗରଳୁ ଅମୃତ କରନ୍ତି ବାହାର

ଅନନ୍ତ ଅମୃତାଳୟ ହେ ।

ପରମ ଜନକ ପରମ ଜନନୀ

ତାଙ୍କ ପଦେ ବରାଭୟ ହେ ।

ସେହି ବରାଭୟ ଆନନ୍ଦାମୃତର

ହୁଅ ଶିଶୁ ସ୍ତନନ୍ଧୟ ହେ ।୧୧।

Image

 

ନବ ଯୁଗର ଅଭିଷେକ

 

(୧)

କାଳର ଉଦୟ ଅଚଳେ ନବଯୁଗ ଭାସ୍ୱର,

ଏ ବ୍ରାହ୍ମ ମୁହୂର୍ତ୍ତେ ଜାଗ ହେ ନରନାରୀନିକର ।

ବବୀନ ଯୁଗର ତରୁଣ ଉଷା-ଅରୁଣ ଜ୍ୟୋତି,

ଆଶାର ପ୍ରସନ୍ନ କିରଣ ଲୀଳାମୟ ବିଭୂତି ।

ଅମୃତ ବିଭାସ ରାଗିଣୀ ତାନ ଆନନ୍ଦମୟ,

ଦଶଦିଗୁଁ ଭାସି ଆସଇ ମୋହି ବିଶ୍ୱ-ହୃଦୟ ।

ବହଇ ପୁଣ୍ୟର ମଳୟ ହୃଦ-କମଳ-ବନେ

ଧର୍ମର ଅନନ୍ତ ବିଜୟ-ଶଙ୍ଖ ବାଜେ ସଘନେ ।

ସେ ମଙ୍ଗଳ-ଶଙ୍ଖ ଘୋଷଣା ପୁଣ୍ୟମୟ ଉଦାର,

ନବ ନବ ଅର୍ଥେ ପୂରିତ ନବ ଗୀତ-ଝଙ୍କାର ।

 

(୨)

ଜଗତର ସିଂହଦ୍ୱାରରେ ଜ୍ଞାନ-ଅର୍ଣ୍ଣବତୀରେ,

ବଜ୍ଞାନର ରତ୍ନ-ବେଦିକା ଦେଖ ରାଜେ ରୁଚିରେ ।

ତହିଁ ସିଂହାସନ ପୁଣ୍ୟର ସ୍ୱର୍ଣ୍ଣବର୍ଣ୍ଣେ ରଞ୍ଜିତ,

ତଥିପରେ ବିଜେ ନବୀନ ଯୁଗ ଚିର-ବାଞ୍ଛିତ ।

ମସ୍ତକେ ଶୋଭଇ କିରୀଟ ପ୍ରେମମଣି-ଖଚିତ,

ହସ୍ତେ ରାଜଦଣ୍ଡ ନ୍ୟାୟର ମହାମହିମାନ୍ୱିତ ।

ସ୍ୱର୍ଣ୍ଣ ରାଜଛତ୍ର ଗଗନ ଧରିଅଛି ଉଲ୍ଲାସେ,

ଆଶାର ବିଜୟକେତନ ଉଡ଼ୁଅଛି ଆକାଶେ ।

ଯୁଗ-ଅଭିଷେକ-ଉତ୍ସବେ ମହା ଦୁନ୍ଦୁଭିଧ୍ୱନି

ବାଜଇ ସେ ସିଂହଦୁଆରେ ପୂରି ସର୍ବ ଅବନୀ ।

ଜଗତର ରାଜସଭାରେ ଅଭିଷେକ ଯୁଗର,

ଦେବେ ସୁଗମ୍ଭୀରେ ପଢ଼ନ୍ତି ଆର୍ଶୀବାଦ ମନ୍ଥର ।

ନବଯୁଗ-ରାଜ-ଲଲାଟେ ରାଜଟିକା ଭାସ୍ୱର

ନିଜେ ଅରପନ୍ତି ଆଦରେ କୋଟିବ୍ରହ୍ମାଣ୍ଡେଶ୍ୱର ।

ରବି ଶଶୀ ଗ୍ରହ ନକ୍ଷତ୍ର ସେହି ମହାସଭାରେ

ନବଯୁଗକଣ୍ଠେ ଲମ୍ବାନ୍ତି ବର-ମାଲ୍ୟୋପହାରେ ।

ଏକତାନେ ବିଶ୍ୱ-କବିଏ ଧରି ଅମର ବୀଣା,

ଗାଉଛନ୍ତି ଅଭିନନ୍ଦନ-ଗୀତ ଅମୃତ-ଜିଣା ।

‘‘ଜୟ ଜୟ ଯୁଗ ନବୀନ ଜୟ ଯୁଗ–ସମ୍ରାଟ,

ବିଧାତାର ପୁଣ୍ୟତେଜରେ ଜ୍ୟୋତିର୍ମୟ–ଲଲାଟ ।

ପାପ-ଭାରାକ୍ରାନ୍ତ ଧରଣୀ କାନ୍ଦୁଅଛି ବିକଳେ,

ପାପ-ବଂଶ ଧ୍ୱଂସ କର ହେ ମହାପୁଣ୍ୟର ବଳେ ।

ଜଣାଅ ମାନବସନ୍ତାନେ ଉଚ୍ଚ କୁଳ ତାହାର,

ସେ ଯେ ବ୍ରହ୍ମ-ସୁତ ଏ ବାର୍ତ୍ତା କର ଭବେ ବିସ୍ତାର ।

ବ୍ରହ୍ମ-ସୁତ ବ୍ରହ୍ମ-ତନୟା ନର-ନାରୀ-ନିକର,

କର ଏ ସମ୍ବାଦ ଘୋଷଣା ସତ୍ୟ-ଶିବ-ସୁନ୍ଦର ।

ସ୍ୱରଗର ପ୍ରେମ-ଆଲୋକ ଦଶଦିଗେ ପ୍ରକାଶୁ,

ବିଧାତାର ପୁଣ୍ୟ-ଆନନ୍ଦ-ସ୍ରୋତେ ଜଗତ ଭାସୁ

Image

 

ଧରଣୀ ପ୍ରତି ସମୁଦ୍ରର ଉକ୍ତି

 

କହ କହ ମୋତେ ମହୀ,

କାହା ଆଗେ ବଡ଼ ତୁହି,

ହାତର ମୁଠାରେ ଥିବା ପରକାରେ

ଧରିଅଛି ତୋତେ ମୁହିଁ ।

ଅପଲକ ନେତ୍ରେ ନିତି

ଦେଖୁଛି ତୋତେ ମୁଁ କ୍ଷିତି,

କେମନ୍ତେ ତୋହର ଉତ୍‍ଥାନ ପତନେ

ଯୁଗ ଯାଉଅଛି ବିତି ।

ଧରଣୀ ତୁ ମୋର ସୁତା,

ମୋ ଲାଗି ବିଭବଯୁତା,

କାହାଠୁ ପାଇଲୁ ଏତେ ଧନ ଧାନ୍ୟ

ସୁବର୍ଣ୍ଣ ମଣି ମୁକୁତା ?

ମୋ ବକ୍ଷୁଁ ପର୍ବତମାନ

ଉଠନ୍ତି ଭେଦି ବିମାନ,

ଚୂର୍ଣ୍ଣ ରେଣୁ ହୋଇ       ମୋ ବକ୍ଷରେ ପୁଣି

ଲଭନ୍ତି ଆଶ୍ରୟ ସ୍ଥାନ ।

ମୋ ଯୋଗୁଁ ଜୀବ ଜୀବନ;

ମୋ ବିନା ନିଶ୍ଚେଁ ମରଣ,

ମୋହରି ସଲିଳ ବରଷଇ ଘନ

ଆରୋହି ବାୟୁ-ବାହାନ ।

ମୋହରି ରସେ ତୁ ରସା,

ଶସ୍ୟଶ୍ୟାମଳା ସୁରସା,

ପତ୍ର-ପୁଷ୍ପ-ଫଳେ ହୋଇଛୁ ମଣ୍ଡିତା,

ମୋ ଲାଗି ତୋର ସୁଦଶା ।

ଧରିଅଛି ତୋତେ କୋଳେ,

ତହିଁ ତୁ ଥା ସୁଖଭୋଳେ

ମୋ ପିଅର ବ୍ୟୋମ ଦେଖୁଛନ୍ତି ତୋତେ

ସୂର୍ଯ୍ୟ-ଚନ୍ଦ୍ର ବେନି ଡୋଳେ ।

Image

 

ଆଶା

 

ଏ ଭବ-ଭୈରବ-ବନେ ଶ୍ରାନ୍ତ ଅବସନ୍ନ

ପଥିକ ଏକାକୀ,

ଭ୍ରମଇ ହରାଇ ପଥ ନିରାଶ ବିଷଣ୍ଣ

ଦୁଃଖେ ଡାକି ଡାକି ।

ସର୍ବଗ୍ରାସୀ ଘୋର ମୋହ ଅନ୍ଧାରେ ମଗନ

ଦିଗ-ଦିଗନ୍ତର,

ସର୍ବଗ୍ରାସୀ ସ୍ଵାର୍ଥମେଘ ଆବୃତ ଗଗନ

ଘୋର ଭୟଙ୍କର ।

ଈର୍ଷାର ବିକଟ ହାସ୍ୟ ଚପଳାସ୍ଫୁରତି

ଧରଷେ ନୟକ,

କ୍ରୋଧ ଦ୍ୱେଷ ଗରଜନ ଭୟାବହ ଅତି

ରୋଧଇ ଶ୍ରବଣ ।

ହୁହୁରବେ ବହେ ପାପ-ପ୍ରଳୟ ପବନ

କମ୍ପେ ବସୁମତୀ,

ତ୍ରାସେ ବିକମ୍ପିତ ସ୍ତବ୍‍ଧ ପାନ୍ଥ-ପ୍ରାଣ-ମନ

ନ ଦିଶଇ ଗତି ।

ମାତୃଅଙ୍କ ହରାଇଣ ଶିଶୁ ଅସହାୟ

ଯେସନ ଅନ୍ଧାରେ,

କାନ୍ଦଇ ତେସନ ପାନ୍ଥ ହୋଇ ନିରୁପାୟ

ଆର୍ତ୍ତ-ହାହାକାରେ ।

 

(୨)

କାନ୍ଦିଣ ବୋଲଇ, ‘‘ମା’ ଗୋ ଜଗତଜନନୀ !

ଏ କି ଲୀଳା ତୋର,

କାହିଁକି ଝଟିକା-ମୟୀ ଏ ଘୋର ରଜନୀ,

ଏ ଅରଣ୍ୟ ଘୋର ?

କାହିଁ ଛାଡ଼ିଗଲୁ ମା’ ଗୋ ! ଏ ଭୀଷଣ ବନେ

ଦୁର୍ବଳ ତନୟେ !

ପଥ ନ ଜାଣଇ, ନାହିଁ ସାମର୍ଥ୍ୟ ଚରଣେ,

ସ୍ତବଧ ମୁଁ ଭୟେ ।

ଶୈଶବେ ଯୌବନେ ମା’ ଗୋ ! କି ଉଜ୍ଜ୍ୱଳ ଦୃଷ୍ଟି

ଦେଲୁ ଏ ନୟନେ ।

କେମନ୍ତ ଉତ୍ସାହ ପ୍ରୀତି ବିଶ୍ୱାସର ସୃଷ୍ଟି

କି କଲୁ ଏ ଜୀବନେ ।

ଏବେ ମା’ଗୋ ବିଷାଦର ଜୀବନ୍ତ ମରଣେ

କାହିଁକି ଏ ପ୍ରାଣ ।

ଏକାନ୍ତ ଅବଶ ଅବ- ସନ୍ନ ଅନୁକ୍ଷଣେ

ହତ ବୁଦ୍ଧି ଜ୍ଞାନ ।

ଏ ମୃତ୍ୟୁ-ସଂକଟେ ମା’ ଗୋ ! ନ ରଖିଲେ ତୁହି

ଆଉ କେ ରଖିବ ?

କାତରେ ବିକଳେ ଆଜି ଡାକୁଅଛି ମୁହିଁ

ଦୀନହୀନ ଜୀବ ।

ଏ ଘୋର ଯନ୍ତ୍ରଣା ଆଉ ନ ପାରଇ ସହି

ଦେ’ ମା’ ଦରଶନ ।

ପ୍ରକାଶ ଶ୍ରୀମୁଖ ଜ୍ୟୋତି ଏବେ କୃପା ବହି

ମୁଁ ଯେ ଅକିଞ୍ଚନ ।”

(୩)

ଏମନ୍ତ ସେ ପାନ୍ଥ ଆହା କାନ୍ଦିଣ କାତରେ

ହୋଇଲା ମୂର୍ଚ୍ଛତ

ସହସା ଆକାଶ-ବାଣୀ ତା ହୃଦ-କନ୍ଦରେ

ହେଲା ପ୍ରବାହିତ ।

‘‘ଉଠି ବତ୍ସ, ଅଛି ପାଶେ, ନୟନ ଫିଟାଇ

ଦେଖ ରେ ତୁ ବାରେ

ଭ୍ରାନ୍ତିବଶେ ମୋର କ୍ରୋଡ଼ ଛାଡ଼ି କାହିଁପାଇଁ

କାନ୍ଦୁ ନିରାଶାରେ ?

ଦେଖ ରେ ନୟନ ଫେଡ଼ି ମୋ ନୟନପ୍ରଭା

ଆଶା-ପ୍ରଭା-ମୟୀ,

ବିନାଶି ତିମିର-ରାଶି ବିଶ୍ୱାସ-ସୁଲଭା

ବିଶ୍ୱ ଉଜଳଇ ।’’

(୪)

ହୃଦୟର ସ୍ତରେ ସ୍ତରେ ସଞ୍ଚରିଲା କ୍ଷଣେ

ସେ ସ୍ଵର୍ଗ-ସଙ୍ଗୀତ,

ଭାଜିଲା ବିଷମ ମୋହ, ଚିତ୍ତ ନବ ପ୍ରାଣେ

ହେଲା ତରଙ୍ଗିତ ।

ନୟନ ଉନ୍ମୀଳି ପାନ୍ଥ ଦେଖେ ଆଚମ୍ବିତ

ଅପୂର୍ବ ଦର୍ଶନ,

ନାହିଁ ସେ ଅନ୍ଧାର ଘୋର, ବିଲୁପ୍ତ ଚକିତେ

ସେ ଭୈରବ ବନ ।

ଆଲୋକ-ପ୍ରବାହ ଦଶ- ଦିଶେ ଉଛୁଳଇ

ନାଶି ଅନ୍ଧକାର,

ସେ ଆଲୋକ-ସୁଧାପାନେ ପ୍ରାଣେ ଉପୁଜଇ

ଆଶ୍ଵାସ ଅପାର ।

ସହସା ଅଗ୍ରତେ ଉଭା ଦେବୀ ପ୍ରଭାମୟୀ

ସହାସ ମୂରତି,

ବେନି ପାର୍ଶ୍ୱେ ବେନି ସଖୀ ଦିବ୍ୟ ତେଜୋମୟୀ

କରନ୍ତି ଆରତି ।

ବାଳାର୍କ କିରୀଟରୂପେ ଉଜଳେ ଭୁବନ

କଜ୍ଜ୍ୱଳ-ଚିକୁରେ,

ନିଶାନ୍ତ ତାରକା ବର୍ଷି ପ୍ରଶାନ୍ତ କିରଣ

ନେତ୍ରଯୁଗେ ସ୍ଫୁରେ ।

ଚରଣେ କିରଣମୟ ଶତଦଳଦଳ

ଉଠଇ ବିକଶି,

ସଖୀଏ ନିଅନ୍ତି ତୋଳି ସେହି ଶତଦଳ

ହର୍ଷେ ହସି ହସି ।

ମହାଦେବୀ ଦେହପ୍ରଭା ଦିଗଙ୍ଗନାଙ୍କର

ଜଳଦ-ବସନେ,

ଇନ୍ଦ୍ରଧନୁ ଦର୍ଣ୍ଣାତ୍ସବ ସୃଜେ ମନୋହର

ଅନନ୍ତ ଗଗନେ ।

ପାରିଜାତ-ପୁଷ୍ପମୟ ଶ୍ରୀଅଙ୍ଗୁ ପ୍ରସରି

ସ୍ଵର୍ଗୀୟ ସୌରଭ,

ସକଳ ସନ୍ତାପ ଶ୍ରାନ୍ତି ଅବସାଦ ହରି

ପୂର୍ଣ୍ଣ କରେ ନଭ ।

ମହାଦେବୀ-ଆବିର୍ଭାବେ ସ୍ଥାବର ଗଙ୍ଗମ

ପୁଲକେ ପୂରିତ,

ବିକଶି ଉଠଇ ପୁଷ୍ପ ଗାଏ ବିହଙ୍ଗମ

ଲଳିତ ସଙ୍ଗୀତ ।

ଆନନ୍ଦେ ବିହ୍ୱଳ ପାନ୍ଥ ଭକ୍ତିପୁଲକିତ

ନମଇ ପୟରେ,

ଆନତ କରନ୍ତେ ଶିର ପ୍ରଭା ଲୋକାତୀତ

ନୟନେ ସଞ୍ଚରେ ।

ସହସା ପ୍ରକାଶ ମହା- ଦେବୀ ପଦତଳେ

ସ୍ଵରଗ ତୋରଣ,

କୋଟି ପ୍ରଭାକର ଜିଣି ମହାତେଜେ ଜ୍ୱଳେ

ବିଚିତ୍ର ଶୋଭନ ।

ତୋରଣ-ଲଲାଟେ ଶୋହେ ଇନ୍ଦ୍ରଚାପାକାର

ସ୍ୱର୍ଣ୍ଣ ବର୍ଣ୍ଣାବଳୀ,

ଆହା କି ଅମୃତମୟ ଘୋଷଣା ଉଦାର

ବ୍ରହ୍ମାଣ୍ଡ ଉଜଳି ।

‘‘ଭକ୍ତି-ପ୍ରୀତି-ସହଚରୀ– ଆଶା-ଅଧିଷ୍ଠିତ

ଏ ସ୍ଵର୍ଗ ତୋରଣ,

ସଦା ଅବାରିତ-ଦ୍ୱାର ପ୍ରଭା-ବିଭାସିତ

ବିଶ୍ୱ-ବିମୋହନ ।

ଆସ ଆସ ପାପୀ ତାପୀ ଯେ ଅଛ ଜଗତେ

ସେବି ଦେବୀପଦ,

ପ୍ରବେଶ ସ୍ଵରଗଧାମେ ଭୁଞ୍ଜରେ ସନ୍ତତେ

ଅମୃତ ସମ୍ପଦ ।’’

(୫)

ଆବର ଦେଖଇ ପାନ୍ଥ, ବେଢ଼ି ଚଉପାଶେ

ସ୍ଵର୍ଣ୍ଣବୀଣା କରେ,

ଜ୍ୟୋତିର୍ମୟ ଦେବଦଳ ଗାଆନ୍ତି ଭଲ୍ଲାସେ

ମହାପ୍ରେମଭରେ–

‘‘ଜୟ ଜଗଦମ୍ୱା ନେତ୍ର- ପ୍ରଭା ମୂର୍ତ୍ତମତୀ

ଆଶା ପ୍ରଭାମୟୀ ।

ବ୍ରହ୍ମାଣ୍ଡପାବନି ମାତଃ ଜୟ ଭଗବତି !

ଜୟ ପୁଣ୍ୟମୟି !’’

ବାଜଇ ଅଯୁତ ବୀଣା ଅମୃତ ଝଙ୍କାରେ

ବହି ଜୟଧ୍ୱନି ।

ଗମ୍ଭୀରେ ଧ୍ୱନିତ ସେହି ଜୟ-ଜୟକାରେ

ଆକାଶ ଅବନୀ ।

Image

 

ଆତ୍ମସମର୍ପଣ

 

ଏ ପ୍ରାଣବୀଜର ଅଟ ହେ ସବିତା,

ତୁମ୍ଭ ପ୍ରେମାଲୋକେ ସିନା,

ହେବ ଅଙ୍କୁରିତ ପୁଷ୍ପିତ ଫଳିତ,

କାହିଁ ଗତି ତୁମ୍ଭ ବିନା ।

ମନ–ଲୋଚନର       ଜ୍ଞାନାଲୋକ ତୁମ୍ଭେ

ସର୍ବ ଦର୍ଶନନିଦାନ,

ତୁମ୍ଭେ ପରିପୂର୍ଣ୍ଣ ଆନନ୍ଦ ସ୍ୱରୂପ

ମୁଁ ଯେ ଆନନ୍ଦ-ସନ୍ତାନ ।

ମୁହିଁ କ୍ଷୁଦ୍ର ଉର୍ମି, ତୁମ୍ଭେ ମହାସିନ୍ଧୁ,

ଉର୍ମି ସିନ୍ଧୁ ଏକାକାର,

ଅନନ୍ତ ମଙ୍ଗଳ- ସଂକଳ୍ପ-ସମ୍ଭୂତ

ମୁହିଁ ତୁମ୍ଭ ମହିମାର ।

ବିହଙ୍ଗମ ମୁହିଁ, ଅନ୍ତରୀକ୍ଷ ତୁମ୍ଭେ,

ତୁମ୍ଭ ବିନା କାହିଁ ପ୍ରାଣ,

ତୁମ୍ଭରି ସ୍ୱରୂପେ କରିବି ବିହାର

ଗାଇ ତବ ଜୟଗାନ ।

 

ମୁଁ ତ କ୍ଷୁଦ୍ର ଶିଶୁ, ତୁ ପ୍ରାଣଜନନୀ

ଅଚ୍ଛେଦ୍ୟ ନାଡ଼ୀବନ୍ଧନ,

ତୋ ପ୍ରେମନୟନ ନିରୁପମ ସ୍ନେହେ

ଅନାଇଛି ଅନୁକ୍ଷଣ ।

 

ଏ କ୍ଷୁଦ୍ର ପ୍ରାଣର ପ୍ରେମ ପ୍ରତିଦାନ

ପାଦପଦ୍ମେ ପ୍ରାଣ-ବଳି,

ଅର୍ପଇ ଆନନ୍ଦେ, ଘେନ ମହାପ୍ରଭୁ,

ଘେନ ଏ ଦୁଃଖୀର ଅଳି ।

Image

 

ଭାରତ-ଭାବନା

 

(୧)

ଏହି କି ସେ ପୁଣ୍ୟ-ଭୂମି ଭୁବନ-ବିଦିତ,

ସୁବିସ୍ତୀର୍ଣ୍ଣ ରଙ୍ଗଭୂମି ଆର୍ଯ୍ୟ-ଗୌରବର ?

ଏହି କି ଭାରତ, ଯାର ମହିମା ସଙ୍ଗୀତ–

ଗମ୍ଭୀର-ଝଙ୍କାରେ ପୂର୍ଣ୍ଣ ଦିଗଦିଗନ୍ତର ?

ଏହି କି ସେ ସୁମନୋଜ୍ଞ ଆଶା-ସରୋବର,

ଯାର ଜ୍ଞାନାମୃତପାନେ କୃତାର୍ଥ ଧରଣୀ ?

ଯାର ତେଜେ ବିଭାସିତ ଦେଶଦେଶାନ୍ତର ?

ଏହି କି ସେ ବସୁଧାର ସମୁଜ୍ଜ୍ୱଳ ମଣି ?

ଏହା କି ଅମୃତମୟୀ ମୃତ୍ୟୁଞ୍ଜୟ-ସନ୍ତାନ-ଜନନୀ ?

(୨)

କେମନ୍ତେ ହା ବିଭୋ ! ଆଜି କରିବି ବିଶ୍ୱାସ,

ଏହି ସେହି ଦେବଭୂମି ବିଶ୍ୱବନ୍ଦନୀୟା ?

ଏହି ସେହି ତେଜୋବୀର୍ଯ୍ୟ-ଗୌରବନିବାସ,

ଯାହାର ସ୍ମରଣେ ଉଲ୍ଲସିତ ବୀର-ହିୟା ?

ଏହି ସେହି ସର୍ବଦେଶ-ଅଗ୍ରଗଣନୀୟା ?

ମାନବ-ମାନସ-ଚକ୍ଷୁ ଜ୍ଞାନ-ଆଦିତ୍ୟର

ପବିତ୍ର ଉଦ୍ଭବସ୍ଥଳୀ, ତେଣୁ ମହନୀୟା,

ଯେସନ ପୂର୍ବାଶା, ଉଷା-ଉତ୍ସଙ୍ଗ ସୁନ୍ଦର,

ଶୈଶବୀୟ ଲୀଳାଭୂମି ଲୋକଚକ୍ଷୁ ଦେବ ତପନର ।

(୩)

କାହିଁ ସେହି ନଦୀ ପୁଣ୍ୟତୋୟା ସରସ୍ୱତୀ,

ଯାର କୂଳେ ୠଷିକଣ୍ଠେ ସ୍ଫୁରିଲା ଗମ୍ଭୀରେ

ଈଶସ୍ତୁତି, ଦେବରୂପେ ମୋହି ବସୁମତୀ

ଅମୃତ ସଙ୍ଗୀତତାନେ, ଉଚ୍ଛ୍ୱାସିଣ ଧୀରେ

ହୃଦୟର ଉଚ୍ଚତମ ଆଶା-ଲହରୀରେ ?

ନାହିଁ ରେ ଭାରତବକ୍ଷେ ଆଜି ସେ ସରିତ,

ବେଦମାତା, ଆର୍ଯ୍ୟଦେହ ପୁଷ୍ଟ ଯାର ନୀରେ,

ଆର୍ଯ୍ୟକବି ଆତ୍ମାପଦ୍ମ ଯହିଁ ବିକଶିତ,

ଶିଖିଲା ସମ୍ବନ୍ଧ ତାର ପରମାତ୍ମା-ମିହିର ସହିତ !

(୪)

ନାହିଁ ସେହି ଦିନ, ଯେବେ ପବିତ୍ର ଆଶ୍ରମେ

ସମାସୀନ ବ୍ରହ୍ମବାଦ ଆର୍ଯ୍ୟୠଷିଗଣ-

ବଶୀନ୍ଦ୍ର ବଶିଷ୍ଠ, ଅତ୍ରି ଅଟଳ ସଂଯମେ,

ଅଗ୍ନିସଙ୍କାଶ ଅଙ୍ଗିରା, ବ୍ୟାସ ତପୋଧନ,

ରାଜର୍ଷି ଜନକ ନିତ୍ୟ-ଶାନ୍ତି-ପରାୟଣ,

ଧ୍ୟାଇଲେ ସୃଷ୍ଟିର ତତ୍ତ୍ୱ ମଜ୍ଜି ତପସ୍ୟାରେ,

ଆନନ୍ଦେ ବିସ୍ମୟେ ଆହା କଲେ ଦରଶନ

ବ୍ୟାପି ଅକୂଳ ଅନନ୍ତ ଘୋର ଅନ୍ଧକାରେ

ବିରାଜିତ ବ୍ରହ୍ମଜ୍ୟୋତି ନିସ୍ତରଙ୍ଗ କାଳପାରାବାରେ ।

(୫)

ଥିଲା ଦିନ ଯେବେ ଏହି ଭାରତଧାମରେ

ପବିତ୍ରତା ମୂର୍ତ୍ତିମତୀ ସରଳତାମୟୀ,

ଦୟାରୂପେ ଅବତୀର୍ଣ୍ଣା ୠଷିଜନ ଘରେ,

ୠଷିକନ୍ୟା ୠଷିପତ୍ନୀ ଦିବ୍ୟ ତେଜୋମୟୀ,

ଉଶ୍ୱାସିଲେ ପାପାକ୍ରାନ୍ତ ମେଦିନୀର ଭାର ।

ଯେବେ ବୀରସୀମନ୍ତିନୀ କ୍ଷତ୍ରିୟ-କୁମାରୀ

ପ୍ରସବିଲେ ବୀରବୃନ୍ଦ ମହୀ-ଅଳଙ୍କାର,

ଶିଖାଇଲେ ପ୍ରାଣକାନ୍ତେ କଟାକ୍ଷ ପ୍ରହାରି

ସେ ବୀରତ୍ୱ, ଯା’ର ଯଶ ଉଚ୍ଚନାଦେ ଘୋଷଇ ସଂସାର ।

 

 

(୬)

କାହିଁ ସେ ଅଯୋଧ୍ୟା ଧନ୍ୟା ଯୋଧେନ୍ଦ୍ର-ଜନନୀ,

କ୍ଷତ୍ରତେଜୋଭାନୁ ଯହିଁ ଉଇଁଲା ପହିଲେ

ହିମୋଜ୍ଜ୍ୱଳ ହିମାଚଳଶିରେ ଦିନମଣି

ହେମରଶ୍ମି ବିଞ୍ଚେ ଯଥା ନିଶା ପ୍ରଭାତିଲେ,

ସେ ସୂର୍ଯ୍ୟପ୍ରଭବ ବଂଶ ଅବା କେଉଁଠାରେ,

ଯାର କୀର୍ତ୍ତି-ମହାଗୀତ ଆଦିମହାକବି

ଗାଇଲେ ଅମୃତକଣ୍ଠେ ପବିତ୍ର ଝଙ୍କାରେ,

ବୀରତ୍ୱର, ସତୀତ୍ୱର ସେ ଅତୁଲ୍ୟ ଛବି

ଚିତ୍ରି ରାମାୟଣକାରେ ତପୋଧନ ଅର୍ପିଲେ ସଂସାରେ ।

(୭)

ଭାରତହୃଦକୌସ୍ତୁଭ କୌରବ-ଗୌରବ,

କାହିଁ ସେହି ଇନ୍ଦ୍ରପ୍ରସ୍ଥ କାହିଁ ବା ହସ୍ତିନା,

ଯାହାର ମୋହନ ଛବି ନୟନଦୁର୍ଲଭ

ହୃଦଦରପଣେ ଧରି ଆଦରେ, ଯମୁନା,

ଅବିରତ ନୃତ୍ୟେ ରତ ଥିଲୁ କଲ୍ଲୋଳିନି,

ସୁନୀଳ ପ୍ରବାହ ତୋର ଆଜି ବହମାନ,

ପୂରବେ ଯେପରି ବହୁଥିଲୁ ତରଙ୍ଗିଣି !

କିନ୍ତୁ କିବା ଅଦଭୁତ ବିଧିର ବିଧାନ,

ତୋ ଜଳବୁଦ୍‌ବୁଦ୍ ସମ ସେ ଐଶ୍ୱର୍ଯ୍ୟ ଲୁପ୍ତ ଲୋ ତଟିନି ।

(୮)

ମହାଭାରତର ମହାଗୀତ କଥା ଭାଳି

ବିସ୍ମୟେ ହୃଦୟ ପୂର୍ଣ୍ଣ ନୁହଇ କାହାର ?

ଘୋର ଭଇରବ କୁରୁକ୍ଷେତ୍ର ରଣସ୍ଥଳୀ,

ବିଶାଳ ଜଗତେ କାହିଁ ପଟାନ୍ତର ତାର ?

ନାହିଁ ଦେଶ ରବିତଳେ ଯହିଁ ଏକାହବେ

ମହାରଥୀ ମହାବାହୁ ଏତେ ବୀରମଣି

ଦାବାନଳ ଜିଣି ତେଜେ ମାତିଲେ ଭୈରବେ,

ପ୍ରତାପେ କମ୍ପିତ କରି ବିପୁଳ ଧରଣୀ,

ମହାବାହୁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଭୀମ, ଅର୍ଜ୍ଜୁନ, ଆର୍ଜୁନି ।

(୯)

ଅନ୍ୟାୟର ଅତ୍ୟାଚାରେ ଚିର-ଜର୍ଜରିତ,

ସର୍ବଥା ଜଡ଼ିତ କୁସଂସ୍କାର-ଅନ୍ଧକାରେ,

ଥିଲା ଏ ଭାରତଭୂମି ଯୁଗାନ୍ତ ପୀଡ଼ିତ,

ଯେବେ ଶାକ୍ୟସିଂହ ବୁଦ୍ଧ ବିଖ୍ୟାତ ସଂସାରେ

ଭୂଭାରହରଣ-ଅର୍ଥେ ତେଜି ରାଜଭୋଗ

ତପସ୍ୟା-ସାଗରେ ମଜ୍ଜି ଲଭିଲେ ସେ ଜଳେ

ନିର୍ବାଣ-ତତ୍ତ୍ୱରତନ ସାଧି ଜ୍ଞାନଯୋଗ,

ପ୍ରଚାରିଲେ ନବଦୀକ୍ଷା ‘‘ସମାନ ସକଳେ’’

(୧୦)

ବୌର୍ଦ୍ଧଧର୍ମ-ବୈଜୟନ୍ତୀ ବିଜୟ-ଉଲ୍ଲାସେ,

ନବଧର୍ମ ନବରାଜ୍ୟ ସ୍ଥାପିଣ ଭାରତେ,

ଧାଇଁଲା ସରବ ଦିଗେ ଜିଣିବାର ଆଶେ

ସିଂହଳ, ତାତାର, ଚୀନ, ଜାପାନ, ତିବ୍ଦତେ ।

ଆହା କିବା ପ୍ରଭାମୟ ଭାରତଭବନ

ଥିଲା ସେହିକାଳେ, ଯେବେ ଶାସିଲେ ଧରଣୀ

ଗୁପ୍ତବଂଶ-ଅବତଂସ ବୌଦ୍ଧ ଭୂପଗଣେ,

ଯବନବିଜୟୀ ଚନ୍ଦ୍ରଗୁପ୍ତ ବୀରାଗ୍ରଣୀ,

ଦେବପ୍ରିୟ ପ୍ରିୟଦର୍ଶୀ ଲୋକନାଥ ଅଶୋକ ନୃମଣି ।

(୧୧)

ନଭଶ୍ଚୁମ୍ବୀ ପରବତ ଦମି ଶିଳ୍ପବଳେ

କାଳଗର୍ବ-ଖର୍ବକାରୀ କୀରତିନିଚୟ

ଗାନ୍ଧାର କର୍ଣ୍ଣାଟ ପୁଣି ଗୁର୍ଜର ଉତ୍କଳେ

ନିର୍ମିଲେ କୌଶଳେ ଏହି ନରପତିଚୟ;

ସ୍ଥାପି କେତେ ଜୟସ୍ତୂପ ଗୌରବ-କେତନ

ଭାରତର ଜୟପ୍ରଭା ଦେଶଦେଶାନ୍ତରେ

ବିସ୍ତାରଲେ ମହାଯଶା ମହୀପତିଗଣ,

ପ୍ରକୃତିରଞ୍ଜନ-ବ୍ରତ ପାଳି ଯତନରେ

ପ୍ରତିଷ୍ଠିଲେ ଶାନ୍ତିମୟ ସୁଶାସନ ଦିଗ-ଦିଗନ୍ତରେ ।

Image

 

ଉଦ୍‌ବୋଧନ

 

(୧)

ଆସ ଗୋ ଅମୃତମୟି ଜନନୀ ଭାରତି,

ଦରଶନ ଦିଅ ବାରେ ଦୀନେ ଦୟା କରି,

ତୋ ବିହୁନେ ଚରାଚର

ଜୀର୍ଣ୍ଣାରଣ୍ୟ ଭୟଙ୍କର,

ନୀରସ ମାନସ-ସରଃ, ମାତଃ ସରସ୍ୱତି,

ଜୀବନ ଦୁର୍ବହ-ଭାର କଳୁଷ-ସଂହତି ।

(୨)

ଯେ ଜ୍ୟୋତି, ମା’ ଜ୍ୟୋତିର୍ମୟି, ଏ ମୋର ଲୋଚନେ

ଦେଇଥିଲୁ, ଦୟାମୟି, କିଶୋର ଯୌବନେ,

ସେ ଜ୍ୟୋତି ହରାଇ ହେଳେ

ଅନ୍ଧ ମୁହିଁ ମନ୍ଦବେଳେ,

ଆଉ ନ ଦିଶଇ ଡୋଳେ ଏ ବିଶ୍ୱ-ଭୁବନେ

ତୋ ବିଶ୍ୱ-ନନ୍ଦିନୀ-ରୂପ ଅବା ଏହି ମନେ ।

 

(୩)

ଉର୍ଦ୍ଧ୍ୱରେ ନିଶୀଥାକାଶ ଅସୀମ ଅପାର,

ନିମ୍ନେ ସୁଗମ୍ଭୀର ଧ୍ୱନି ମହାପାରାବାର,

ସ୍ୱର୍ଗର ଜ୍ୟୋସ୍ନାରେ ସ୍ନାତ

ସ୍ତବ୍‍ଧ ବିଶ୍ୱ ଅବଦାତ,

ସେ ଗମ୍ଭୀର ଉଦାରତା ଜିଣି ମହୋଦର

ଦିନେ ସ୍ଫୁରିଥିଲା ପ୍ରାଣେ ତୋ ଶୋଭା-ସଂସାର ।

(୪)

ସେକାଳେ ଅମୃତ-ସ୍ରାବୀ ତୋ କଣ୍ଠ-ସଙ୍ଗୀତ

ଅର୍ଣ୍ଣବ-ପ୍ରଣବ-ଗାଥା ଯା ପାଶେ ନିନ୍ଦିତ,

ସଞ୍ଚରି ଅନ୍ତରେ ମୋର

ନୀରବ ଅଭୟ ଘୋର

ନାଦେ କରିଥିଲା ପ୍ରାଣ-ମନ ପୁଲକିତ,

ସ୍ୱର୍ଗୀୟ ରୋମାଞ୍ଚପୂର୍ଣ୍ଣ ମହା ବିସ୍ଫାରିତ ।

 

 

(୫)

ଆଜି ବହୁ ଦିନ ଅନ୍ତେ ବ୍ୟାକୁଳ ଅନ୍ତରେ

ନିରାଶର ଆଶା ତୋର ଅଭୟ ପୟରେ

ଅନୁତାପ-ଅଶ୍ରୁଜଳ

ଢାଳି ହେବି ନିରିମଳ,

ଅଭିନବ ଜ୍ୟୋତି ତବ ପଦ-ପରଶରେ

ଏ ପ୍ରାଣେ ଲଭିବି ବୋଲି ଡାକଇ କାତରେ ।

(୬)

ଆସ ମା’ କରୁଣାମୟି, ବିଶ୍ୱଶୋଭାରାଣୀ

ବିରାଜ ଏ ପ୍ରାଣେ ଆଜି ବିଶ୍ୱମ୍ଭରା ବାଣୀ,

ଫେଡ଼ି ଅତୀତର ଦ୍ୱାର

ଆଦିମ ଆର୍ଯ୍ୟ-ସଂସାର,

ତୋ ଆଦିମ ଲୀଳା-ଭୂମି ଦେଖାଅ ମା’ ଆଣି,

ଦେକୁ ସେହି ପୁଣ୍ୟାଲେଖ୍ୟ ଏ ପ୍ରାଣ ବଖାଣି ।

 

 

(୭)

ଆର୍ଯ୍ୟ-ୠଷି-ମୁଗ୍‍ଧ-ପ୍ରାଣେ ଦେବାବତରଣ-

ମହୋଦାର ପୁଣ୍ୟଚିତ୍ର କରି ଦରଶନ,

ଲଭିବି ବାଞ୍ଛିତ ଫଳ,

ଏ ଚିତ୍ତ ହେବ ନିର୍ମଳ,

ଭଜିବି ଭକତି-ଭରେ ତୋର ଶ୍ରୀଚରଣ,

ଦୟା କର ଦୟାମୟି, ମୁହିଁ ଅକିଞ୍ଚନ ।

Image

 

ୠଷିପ୍ରାଣେ ଦେବାବତରଣ

[ସରସ୍ୱତୀ ନଦୀତଟ – ଉଷାକାଳ]

 

ପ୍ରଶାନ୍ତ ନିଶାନ୍ତକାଳ ବିରାଜେ ଉଜ୍ଜ୍ୱଳେ

ଉଷାର ତୁଷାର-ଶୁଭ୍ର ଲଲାଟମଣ୍ଡଳେ,

ସ୍ୱର୍ଗର କୌସ୍ତୁଭମଣି ଶୁକ୍ର ସୁଶୋଭନ

ପରାଚୀ-ଦିଗନ୍ତପଟେ ଛବି ଅତୁଳନ,

ଉଦୀଚୀ-ଆକାଶେ ଦୂରେ ମହାଜ୍ୟୋତିର୍ମୟ,

ତୁଷାର-କିରୀଟେ ରାଜେ ଗିରୀନ୍ଦ୍ର-ଆଳୟ,

ଅନନ୍ତ ହିମାନୀ-କ୍ଷେତ୍ର ଶୁଭ୍ର ହିମାଚଳ

ତ୍ରିଦିବର ପୁଣ୍ୟପୁଞ୍ଜ ପ୍ରାୟେ ମହୋଜ୍ଜ୍ୱଳ ।

ବିଶ୍ୱ-ପ୍ରାଣସ୍ପର୍ଶୀ ଆହା ଉଷାର ଉତ୍ସବେ

ମାତିଲେ ସୁହାସମୟୀ ଦିଗ୍‌ବଧୂ ସରବେ ।

ଶିଶିରଜଳରେ ଧୋଇ ଉଷା ଶ୍ରୀଚରଣ

ଲଭିଲେ ଆଶିଷରୂପେ ଦିବ୍ୟ ଆଭରଣ–

ଜ୍ୟୋତିର ସିନ୍ଦୂରବିନ୍ଦୁ, ଜ୍ୟୋତିର ବଳୟ,

ଜ୍ୟୋତିର୍ମୟ ଅବତଂସ, ମାଳ ଜ୍ୟୋତିର୍ମୟ ।

ଜ୍ୟୋତିର୍ମୟ ପାରିଜାତ ଦିଗ୍‌ବଧୂ-କୁନ୍ତଳେ

ଫୁଟାଇଲେ ଆଚମ୍ବିତେ ଉଷା କୁତୂହଳେ ।

ଏକେ ପୌର୍ଣ୍ଣମାସୀ ଜ୍ୟୋସ୍ନା-ଧବଳ ଭୁବନ,

ତରଳ ରଜତପୂରେ ପ୍ଲାବିତ ଶୋଭନ;

ଦ୍ୟୁଲୋକ-ଦୁହିତା ଉଷା ତହିଁରେ ଆବର

ଦୋହନ କରନ୍ତି କାମଧେନୁ ତ୍ରିଦିବର ।

ଶ୍ରୀକରପରଶେ ଯେହ୍ନେ କ୍ଷାର- ପାରାବାର ।

ଉଜ୍ଜ୍ୱଳ ଆଲୋକରୂପେ ପ୍ଲାବଇ ସଂସାର,

ଦିଶି ଦିଶି ଉଛୁଳଇ ଆଲୋକ-ପ୍ରବାହ,

ଦ୍ୟାବା-ପୃଥିବୀର କିବା ଏ ଦୈବ ବିବାହ ।

ତରଳ ସ୍ୱର୍ଗୀୟ ଗୀତି ଉଷା-ଉଦ୍‍ବୋଧନୀ

ଢାଳଇ ଭରତ ପୂରି ଆକାଶ ଅବନୀ ।

ଉଷାର ପରଶେ ଜାଗେ ପ୍ରଣିପାତ କରି

ଅବନୀ ଶିଶିର-ମୁକ୍ତା-ମାଳିନୀ ସୁନ୍ଦରୀ ।

ଏମନ୍ତ ସମୟେ ପୁଣ୍ୟତୋୟା ସରସ୍ୱତୀ

ତାରେ ଉଭା କିଏ ଯୁବା ଉଦାର-ମୂରତି,

ଦୀର୍ଘ-କାୟ ହିମ-ଗୌର ରମ୍ୟ କଳେବର,

ପ୍ରଶସ୍ତ ଲଲାଟ ଲୀଳା-ମଞ୍ଚ ଚୈତନ୍ୟର ।

ବିଶାଳ ଲୋଚନଯୁଗ ଆକର୍ଣ୍ଣ ବିଶ୍ରାନ୍ତ,

ଝରଇ ଯହିଁରୁ ଜ୍ୟୋତିଧାରା ସୁପ୍ରଶାନ୍ତ ।

ସୁତୀକ୍ଷ୍‍ଣ ନାସାଗ୍ର ତୀକ୍ଷ୍‍ଣ ଅସି-ମୂନ ପ୍ରାୟେ

ସୂଚଇ ସାଧନ ଶୁଭ-ଲକ୍ଷ୍ୟ-ସିଦ୍ଧିଯାଏ ।

ଓଷ୍ଠଯୁଗ ବାଣୀଙ୍କର ମାଣିକ୍ୟ-ସୋପାନ,

ବିଶ୍ୱକର୍ମା ବିଧାତାର ବିଚିତ୍ର ନିର୍ମାଣ ।

ଅଗ୍ନି-ପ୍ରଭ ଜଟା-ଜାଳ ଆଜାନୁଲମ୍ବିତ,

କୃଷ୍ଣ ରୋମାବଳୀ-ଶ୍ମଶ୍ରୁ ଆନନେ ଶୋଭିତ ।

ଲମ୍ବିତ ଆୟତ ଭୁଜଦଣ୍ଡ ସୁସରଳ,

ସୁବିପୁଳ ବକ୍ଷ ମହା-ଭାବ-ଲୀଳାସ୍ଥଳ ।

ସ୍ୱର୍ଣ୍ଣଦୀ ପୁଳିନେ ସ୍ୱର୍ଣ୍ଣ-ନମେରୁ ସଦୃଶ

ସରସ୍ୱତୀତଟେ ଉଭା କେ ମହାପୁରୁଷ ?

ଗଦ୍‍ଗଦ ଶବଦେ ପଦତଳେ ଅବିରଳ

ଉପଳ-ଶୟନେ ବହେ ସରସ୍ୱତୀ-ଜଳ ।

ଉଷାର ଉତ୍ସବମୟ ଗଗନ, ସମ୍ମୁଖେ

କାବ୍ୟତାରା ସ୍ନିଗ୍‍ଧଜ୍ୟୋତି ଢାଳୁଅଛି ମୁଖେ ।

ବାମେ ଦିଗ୍‍ବଳୟ କୋଳେ ଦିଶଇ ଭାସ୍ୱର

ହୀରକ-କିରୀଟସମ ହିମାଦ୍ରି ଶିଖର ।

ପଶ୍ଚାତେ କୁରଙ୍ଗଶୋଭି-ଉଟଜ-ଅଙ୍ଗନ,

ଚଉପାଶେ ପ୍ରସାରିତ ପୁଳିନ-କାନନ ।

ନିଶାନ୍ତ-ସମୀର ବହେ ନୀରବ ଶୀତଳ

ପରଶି ମୃଦୁଳେ ଯୁବା-ଆନନମଣ୍ଡଳ ।

ଆଲୋକ-ମଣ୍ଡିତ ସେହି ପୁରୁଷ-ପୁଙ୍ଗବ

ପ୍ରଜାପତି ୠଷି-ବଂଶ-ଜ୍ୱଳନ୍ତ-ଗୌରବ ।

ହିରଣ୍ମୟପ୍ରଭ ଯଥା ହିରଣ୍ୟାଂଶୁମାଳୀ,

ନାମରେ ହିରଣ୍ୟଗର୍ଭ ମହା-ଜ୍ୟୋତିଶାଳୀ ।

ଦେବକନ୍ୟା ଉଷା ଶୋଭା-ପୁଣ୍ୟ-ସୋମରସ-

ପାନେ ଦେବଭାବେ ପୂର୍ଣ୍ଣ ହୃଦୟ ସରସ ।

ମହାପ୍ରେମେ ବିସ୍ଫାରିତ ବିଶାଳ ଲୋଚନ,

ଏ ମହାମାଧୁରୀ-ଲୀଳା କରନ୍ତି ଦର୍ଶନ,

ଦେଖୁଁ ଦେଖୁଁ ଅଭିଭୂତ ମହାଭାବେ ଭୋଳା,

ଦେଖୁଁ ଦେଖୁଁ ନିମୀଳିତ ନୟନର ଡୋଳା ।

ଇନ୍ଦ୍ରିୟ-ପ୍ରତୀତ-ଭୂମି-ଅତୀତ ସଂସାରେ

ନିମଗନ ମନପ୍ରାଣ ଧ୍ୟାନ-ପାରାବାରେ ।

ସହସା ସହସ୍ର ବିଦ୍ୟୁନ୍ନହଃ ପରାଭବି

ୠଷିର ଅନ୍ତରେ ସ୍ଫୁରେ ମହାମୃତ ଛବି ।

ଅମୂର୍ତ୍ତ ମୂରତି ଆହା ରୂପ ନିରୁପମ,

ଅନନ୍ତ ଅନଳ, ବ୍ୟାପୀ ସ୍ଥାବର ଜଙ୍ଗମ ।

ଦେଶ-କାଳାତୀତ ଦୃଶ୍ୟ କଳ୍ପନା-ଅତୀତ,

ଅଥଚ ଜ୍ୟୋତିର ଜ୍ୟୋତି ଚକ୍ଷୁଅଗ୍ରେ ସ୍ଥିତ ।

ଦୂରରୁ ସୁଦୂର, ଚିନ୍ତା-ବାକ୍ୟ-ଅଗୋଚର,

ନିକଟୂ ନିକଟ, ପ୍ରାଣ ସମଗ୍ର ପ୍ରାଣର ।

ଅଶବ୍ଦ ଅସ୍ପର୍ଶ ସେହି ଅରୂପ ଅରସ,

କିନ୍ତୁ ରେ ପରମ ସତ୍ୟ ମହାନନ୍ଦ-ରସ ।

ନିଜ ମହିମାରେ ସ୍ଥିତ ନିଜେ ନିରାଧାର,

ଅନନ୍ତ ଅଗମ୍ୟ ମହା-ବ୍ରହ୍ମାଣ୍ଡ ଆଧାର ।

ସମ୍ମୁଖେ ପଶ୍ଚାତେ ସେହି, ନିମ୍ନେ ଉର୍ଦ୍ଧ୍ୱେ ସେହି,

ଦକ୍ଷିଣେ ବାମରେ ସେହି, ଅଥଚ ଅଦେହୀ ।

କେ ସେ ରେ ବରେଣ୍ୟ-ଗର୍ଭ ପରମସୁନ୍ଦର,

ପୂର୍ଣ୍ଣ ଅପ୍ରତିମ, ପୂରି ବାହ୍ୟ ଅଭ୍ୟନ୍ତର ।

ଆବର କଲ୍ଲୋଳମୟୀ ମହାସରସ୍ୱତୀ,

ସ୍ୱସ୍ତୀ- ପୂର୍ଣ୍ଣା ସୁଗମ୍ଭୀରା ବାଣୀ ଭଗବତୀ,

ଉତ୍ସ ପ୍ରାୟେ ଉତ୍ସାରିତ ଭେଦି ହୃଦସ୍ତର,

ଅମୃତ ସୂନୃତ ନାଦେ ପୂରେ ଚିଦମ୍ବର ।

ଭବଶିରେ ଯଥା ଅବତୀର୍ଣ୍ଣା ଭାଗୀରଥୀ,

ମହାନାଦମୟୀ ବିଶ୍ୱ-ପ୍ରହ୍ଲାଦିନୀ ସତୀ ।

ତେସନ ଆଜି ଏ ୠଷି-ପ୍ରାଣେ ଅବତରି,

କି ଏକ ଅମୃତବାଣୀ ଯାଏ ରେ ପ୍ରସରି !

ଅଶବ୍ଦ ଶବଦ ଭୂମା ବାକ୍ୟ-ଅଗୋଚର,

ଶୁଣଇ ସ୍ତବଧ ପ୍ରାଣ ସେ ନୀରବ ସ୍ୱର ।

କେ ଜାଣେ କାହୁଁ ସେ ବାଣୀ-ବୀଣାର ଶବଦ

କେମନ୍ତେ ପୂରିଲା ୠଷି-ହୃଦ-ବିଷ୍ଣୁପଦ ।

ବିଶ୍ୱବ୍ୟାପୀ-ଅସ୍ତିତ୍ୱର ଓଁକାର-ଝଙ୍କାର

ସମୁଦ୍ର ଧ୍ୱନିରେ ପୂରେ ନିଖିଳ ସଂସାର ।

କେମନ୍ତେ ବର୍ଣ୍ଣିବି ସେହି ଭାଷାତୀତ ଭାବ,

ଜୀବାତ୍ମାରେ ପରମାତ୍ମା-ଭୂମା-ଆବିର୍ଭାବ ।

ନୁହେଁ ସେ ଧରାର ଦୃଶ୍ୟ, ଧରାର ଶବଦ,

ସେ ଭାବ ନୁହଇ କ୍ଷୁଦ୍ର ଧରାର ସମ୍ପଦ ।

ମହୀୟାନ ମହିମାର ଚିନ୍ମୟ ବିଭବ,

ଦେଖରେ ଜଗତ ଆଜି ଦୃଶ୍ୟ ଅଭିନବ ।

ଦେଖରେ ଦେଖ ରେ ଆଜି ଅପରୂପ ଛବି,

ଚିତ୍ରୁଛନ୍ତି ମହା-ଆଦି-ଚିତ୍ରକର କବି ।

ନିଜେ ରେ ଜ୍ୟୋତିର ଜ୍ୟୋତି ଦେବ ଭଗବାନ,

ଅରୂପ-ପ୍ରକାଶେ ପୂରି ୠଷିଜନପ୍ରାଣ,

ଭେଦି ଯେହ୍ନେ ବ୍ରହ୍ମତାଳୁ ସହସା ଉଦିତ,

କରୁଛନ୍ତି ୠଷିମୁଖ-ପଦ୍ମ ବିକଶିତ ।

ବଦନ, ତୁଷାର-ଗୌର, ଦିଶେ ଗୌରତର,

ବିମଳ ଜ୍ୟୋତିର କିବା ପ୍ରଫୁଲ୍ଲ ପୁଷ୍କର ।

କି ମହା ତଡ଼ିତସ୍ରୋତ ପଶି ଆଚମ୍ବିତେ,

ଆପାଦମସ୍ତକ ଧାଏଁ ଧମନୀ-ଶୋଣିତେ ।

ମହାପୁଲକରେ ତନୁ ରୋମାଞ୍ଚ ପୂରିତ,

କଦମ୍ବକେଶର ପ୍ରାୟେ କେଶ କଣ୍ଟକିତ ।

ପ୍ରେମାଶ୍ରୁ ଉଛୁଳିପଡ଼େ ନୟନଯୁଗଳେ,

ସୁନ୍ଦର କପୋଳେ ଧାରା ବହେ ଅବିରଳେ ।

ହିମଗୌର ହିମାଚଳ କପୋଳେ ଯେସନ,

ଜାହ୍ନବୀ-ଯମୁନା-ଧାରା ବହେ ଘନଘନ ।

ସହସା ଫୁଟଇ ୠଷି ଲୋଚନ-କମଳ,

ଖେଳେ ତହିଁ ଆହା କିବା ଜ୍ୟୋତି ସୁବିମଳ ।

ବାହ୍ୟ-ଅଭ୍ୟନ୍ତର-ଭେଦ ଏବେ ନାହିଁ ଆଉ,

ଦିଶି ଦିଶି ଏକ ଜ୍ୟୋତି ଦିଶେ ଦାଉଦାଉ ।

କ୍ଷିତି-ଅପ୍‌-ମରୁଦ୍‌ବ୍ୟୋମ-ତେଜ ଏକାକାର,

ନିରେଖନ୍ତି ୠଷି ଆହା ଚିନ୍ମୟ ସଂସାର ।

ମୃତ ଜଡ଼ ଆଜି ଆହା କି ଅମୃତମୟ,

ବ୍ରହ୍ମ-ନିଃଶ୍ୱସିତେ ପୂର୍ଣ୍ଣ ବ୍ରହ୍ମାଣ୍ଡ-ହୃଦୟ ।

ବ୍ରହ୍ମାଣ୍ଡ-ହୃଦୟ-ତନ୍ତ୍ରୀ ବାଜେ ଏକାତନେ,

ଓଁକାର ଝଙ୍କାରମୟ ମର୍ମଭେଦି-ଗାନେ ।

ତକିତରେ ଛିନ୍ନ ହେଲା ମର୍ମଗ୍ରନ୍ଥିଚୟ,

ଗମ୍ଭୀର ଉଚ୍ଛ୍ୱାସେ ପୂର୍ଣ୍ଣ ୠଷିର ହୃଦୟ ।

ୠଷିର ନିରୁଦ୍ଧ କଣ୍ଠ ଭେଦି ଅସମ୍ଭାଳେ,

ଉଛୁଳଇ ବାଣୀସ୍ରୋତ ବଦନାନ୍ତରାଳେ ।

ୠଷି ରସନାରୁ ବହେ ଗଦ୍‍ଗଦ ଭାଷେ,

ପୁଣ୍ୟା ସରସ୍ୱତୀ ପ୍ରାୟେ ପ୍ରଭାତ ଆକାଶେ ।

ତ୍ରିଷ୍ଟୁଭ ଗାୟତ୍ରୀ ଛନ୍ଦେ ଗୀର୍ବାଣ-ବିଭବ,

ଢାଳିଣ କରନ୍ତି ୠଷି ସ୍ତବ ଅଭିନବ ।

ସେହି ମଧୁମୟ ଛନ୍ଦ ସେ ବାଣୀ-ସମ୍ପଦ,

କାହୁଁ ତୁ ପାଇବୁ ଭାଷା ସେ ଅମୃତପଦ ।

ମହାପ୍ରେମାବେଶେ ୠଷି ଭାସି ଅଶ୍ରୁଜଳେ,

ବକ୍ଷେ ସ୍ଥାପି କରଯୁଗ ବୋଲନ୍ତି ବିହ୍ୱଳେ –

‘‘କେ ହେ ଦେବ ଦେବଦେବ ପ୍ରଭୁ ପରାତ୍ପର,

କି ଅମୃତ ତେଜେ ଆଜି ପୂରି ମୋ ଅନ୍ତର,

କି ଅମୃତତେଜେ ପୂରି ଏ ମହା ଆକାଶ,

ବିରାଜିତ ବିଶ୍ୱଦେବ ବିଭୋ ସ୍ୱ-ପ୍ରକାଶ ।

କେ ହେ ଦେବ ମହାଦେବ ଦ୍ୟାବା ପୃଥିବୀର,

ଦ୍ୟୁଲୋକ ଭୂଲୋକ ବନ୍ଦେ ଆନନ୍ଦେ ଅଧୀର ।

ଅମୃତ ଯାହାର ଛାୟା, ମୃତ୍ୟୁ ଯା କିଙ୍କର

ବନ୍ଦଇ ବରେଣ୍ୟ ଭର୍ଗ ବିଶ୍ୱଚରାଚର ।

ଅମର ଅଜର ହୋତା ଅଗ୍ନି ଯଜ୍ଞକାରୀ,

ଐାରାବତେ ବିରାଜିତ ଇନ୍ଦ୍ର ବ୍ରଜଧାରୀ,

ଦଶଦିଗବ୍ୟାପୀ ସଦା-ଗତି ମରୁଦ୍‌ଗଣ,

ଗଗନ-ବିହାରୀ ସୂର୍ଯ୍ୟ ଜ୍ୱଳନ୍ତ ତପନ,

ଦ୍ୟୁଲୋକର ଜ୍ୟୋତି ମିତ୍ର, ଚିତ୍ରେ ସୁନିପୁଣ,

ଜଳ-ସ୍ଥଳ-ଆବରକ ବରେଣ୍ୟ ବରୁଣ,

ଦ୍ୟୁଲୋକ-ନନ୍ଦିନୀ ଉଷା ତମିସ୍ର-ହାରିଣୀ,

ସରସ୍ୱତୀ ବାଣୀମୟୀ ସୁନୃତଭାଷିଣୀ ।

ଦିବା ବିଭାବରୀ ମାସ ୠତୁ ସମ୍ବତ୍ସର,

ନିମେଷ ମୁହୂର୍ତ୍ତ ସର୍ବେ ବନ୍ଦନ୍ତି ପୟର ।

କେ ହେ ଦେବ ମହିମାର ପ୍ରଦୀପ୍ତ ଅନଳ,

ଯା ଇଙ୍ଗିତ ଉଭା ଏହି ଶ୍ୱେତ ହିମାଚଳ,

ପୂଜିଲେ ଇଙ୍ଗିତେ ଯାର ପୂର୍ବ-ଋଷିଗଣ,

ମହାଭୂତଚୟେ ଦେଖି ଶକ୍ତି –ନିଦର୍ଶନ,

ସେହି ଭୂତ-ଶକ୍ତିଚୟ ଧରି ଏକାଧାରେ,

କେ ହେ ବିରାଜିତ ତୁମ୍ଭେ ନିଜ ମହିମାରେ,

ସୁଗମ୍ଭୀର ଉଦୀରଣେ ଏ କ୍ଷୁଦ୍ର ପରାଣେ,

ଅବତୀର୍ଣ୍ଣ ବାଣୀରୂପେ ଅଦ୍ଭୁତ ବିଧାନେ ,

ଜାଣିଅଛି ପରାତ୍ପର ଏ ପ୍ରାଣବିଧାତା

ଅଟ ହେ ପ୍ରତ୍ୟକ୍ଷ ତୁମ୍ଭେ ବିଶ୍ୱପିତାମାତା ।

ଏକ ଅଦ୍ୱିତୀୟ ପ୍ରଭୁ ସର୍ବମୂଳାଧାର,

ଏକମାତ୍ର ପରାମାତ୍ମା ବ୍ରହ୍ମ ନିରାକାର ।

ଜୟ ହେ ମଙ୍ଗଳୟ ମହାମହେଶ୍ୱର,

ଜୟ ଜୟ ସତ୍ୟରୂପ ପରମ ସୁନ୍ଦର ।

ବିରାଜ ବିରାଜ ଦେବ ହେ ଅମୃତମୟ,

ତୁମ୍ଭରି ଅମୃତରୂପେ ପୂରି ଏ ହୃଦୟ,

ତୁମ୍ଭରି ଓଁକାରମୟୀ ବାଣୀ ନିରନ୍ତର

ପବିତ୍ର ଝଙ୍କାରେ ପୂରୁ ଏ ପ୍ରାଣକନ୍ଦର ।’’

Image

 

ମହାଦେବୀ ଭିକ୍‌ଟୋରିୟା

(ରସକୁଲ୍ୟା ବୃତ୍ତ)

 

ମହାମୃତ୍ୟୁ-ଶୋକ-ତାମସୀ ଛାୟା

ସହସା ବିସ୍ତାରି ବିରାଟ କାୟା,

ଘୋଟିଯାଇଅଛି ନିଖିଳ ମହୀ,

ଦାରୁଣ ନିର୍ବେଦ ମାରୁତ ବହି

ଲିଭାଇଛି ମହାଶ୍ୱାସେ,

ହର୍ଷ-ଦୀପ-ଶିଖା ସହସ୍ର ପ୍ରଦେଶେ

କୋଟି କୁଟୀ-ସୌଧବାସେ ।୧।

 

ମା’ ନାମ ମହିମା ମହୀମଣ୍ଡଳେ,

ମା’ ନାମର ଶାନ୍ତି ତପନତଳେ,

ମା’ ନାମ-ମାଧୁରୀ ମାନବପ୍ରାଣେ,

ଜ୍ୱଳନ୍ତ ଜୀବନ୍ତ ଧ୍ରୁବ ପ୍ରମାଣେ,

ଯାର ପ୍ରାଣେ ପ୍ରମାଣିତ,

ସେହି ମହାଦେବୀ ମାତା ଭିକ୍‌ଟୋରିଆ

ଭବଧାମୁଁ ତିରୋହିତ ।୨।

 

 

ଅର୍ଦ୍ଧ-ଧରଣୀର ଅଧି-ଈଶ୍ୱରୀ

ବ୍ରିଟିଶସାମ୍ରାଜ୍ୟ-ଲକ୍ଷ୍ମୀ ଶଙ୍କରୀ

ଭାରତସମ୍ରାଜ୍ଞୀ ଶ୍ରୀ ମହାରଣୀ,

ରାଜରାଜେଶ୍ୱରୀ ନାରୀ ଇନ୍ଦ୍ରାଣୀ

ସର୍ବ-ମନୁଜ ବନ୍ଦିତା,

ସତୀ-ଶିରୋମଣି ସମ୍ରାଜ୍ଞୀ-ଜନନୀ

ପୁଣ୍ୟମୟୀ ଅନିନ୍ଦିତା ।୩।

 

ଆସିୟା ୟୁରୋପ ଆମେରିକାରେ,

ପୁଣି ଆଷ୍ଟ୍ରଲିଆ ଆଫରିକାରେ,

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମେ,

ବିଷୁବ-ଉତ୍ତାପେ-ମେରୁର ହିମେ,

ପ୍ରତିଷ୍ଠିତ ଯାର ନାମ,

ଯାର ରାଜ୍ୟେ କେଭେ ନୁହେ ଅସ୍ତମିତ

ଦିନମଣି ତେଜୋଧାମ ।୪।

 

‘‘ଭିକ୍‌ଟୋରିଆ-ଯୁଗ’’ ଅମରାକ୍ଷରେ,

ଯା ନାମ ଖୋଦିତ କାଳ-ବକ୍ଷରେ,

ଯାର ରାଜଶକ୍ତି, ରାଜ-ମହିମା

ବିପୁଳ ରାଜଶ୍ରୀ, ରାଜ-ଗରିମା,

ପ୍ରତିଷ୍ଠିତ ଦେଶେ କାଳେ

ସୁଚିର ରାଜତ୍ୱ ଯାହାର ଶୋଭିତ

ମହାକୀର୍ତ୍ତୀ-ମଣିମାଳେ ।୫।

 

ଯାର ଦୟା-କ୍ଷମା-ଶନ୍ତି ସୁଧାରେ,

ସୁଧାଶକ୍ତି ଆହା ଏ ବସୁଧାରେ

ରାଜଦଣ୍ଡ ନୀତି ରାଜଶାସନ;

ହୃଦ ଯାର ପୁଣ୍ୟ ସ୍ନେହ-ଭବନ,

ପୁଣ୍ୟଶ୍ଳୋକ ଯା ଚରିତ,

ମୈତ୍ରୀ ଅନୁକମ୍ପା ବାତ୍ସଲ୍ୟ କରୁଣା

ଅମୃତରସେ ପୂରିତ ।୬।

 

ପ୍ରାଣାଧିକ ତବ ପ୍ରଗାମଣ୍ଡଳୀ

ପ୍ରଜାସ୍ନେହ ପୁତ୍ରସ୍ନେହକୁ ବଳି,

ଦୀନ ପ୍ରଜାଙ୍କର ଦୁଃଖକୁ ଜାଣି,

ଭିକ୍‌ଟୋରିଏ ! ଶତ ଆଶ୍ୱାସବାଣୀ

ଭାଷୁଥିଲ ସ୍ନେହଭରେ,

ଜଗଦମ୍ବାପ୍ରାୟେ ପ୍ରଜାଙ୍କ ଜନନୀ

ଥିଲ ଏହି ଜଗତରେ ।୭।

 

ଅଦ୍ଭୁତ ଘଟନ ତବ ଶାସନେ

କରିଲା ବିସ୍ମିତ ବିଶ୍ୱଭୁବନେ,

ସବଜ୍ର ବିଦ୍ୟୁତ, ବହ୍ନି, ବରୁଣ

ଜ୍ୟୋତିର୍ମୟ ଦେବ ଭାସ୍କର ପୁଣ,

କିଙ୍କର ପ୍ରାୟେ ତୋ ପଦେ

ଖଟି ଦିବାନିଶି ବଢାଇଲେ ପ୍ରଜା-

ମଙ୍ଗଳ ସୁଖସମ୍ପଦେ ।୮।

 

କ୍ଷଣକେ ବିହରି ସହସ୍ର ଦେଶ,

କ୍ଷଣପ୍ରଭା କ୍ଷଣେ ବହେ ସନ୍ଦେଶ;

ବାହଇ ବରୁଣ ବହ୍ନି ସଙ୍ଗତେ

ବାଷ୍ପୀୟ ତରଣୀ ବାଷ୍ପୀୟ ରଥେ

ଜଳେ ସ୍ଥଳେ ବିହାୟସେ;

ଆଦିତ୍ୟ ଚିତ୍ରଇ ଆଲେଖ୍ୟନିକର

ରଞ୍ଜନ-କର ପରଶେ ।୯।

 

ତବ ଜ୍ଞାନ-ପ୍ରେମ-ଶକ୍ତି ଅତୁଳ

ଚିର ଅବଜ୍ଞାତ ଅବଳାକୁଳ-

କଳଙ୍କ-ଭଞ୍ଜନେ ମାନ-ବର୍ଦ୍ଧନେ

ବିହିଲା ବିଳ୍ପବ ଭବଭବନେ,

ତେଣୁ ମହିଳା ସମ୍ମାନ,

ମହୀ ମହନୀବୋଲି ଜଗତରେ

ହେଉଅଛି ବର୍ଦ୍ଧମାନ । ୧୦ ।

 

ଶ୍ୱେତ, କୃଷ୍ଣ ଅବା ହିନ୍ଦୁ, ଖ୍ରୀଷ୍ଟାନ,

ବୌର୍ଦ୍ଧ, ଜୈନ କିମ୍ବା ମୁସଲମାନ,

ପ୍ରାଚ୍ୟ ବା ପାଶ୍ଚାତ୍ୟ ସମ ତୋଠାରେ

ପ୍ରଜାନିର୍ବିଶେଷେ ଥିଲେ ସଂସାରେ,

ପ୍ରଜାସୁଖେ ଆନନ୍ଦିତା,

ପ୍ରଜାର ଦୁଃଖରେ ସନ୍ତତ କାତରା

ଦୟାମୟୀ ଅନିନ୍ଦିତା ।୧୧।

 

ତବ ପୁଣ୍ୟ ତେଜେ ପବିତ୍ର ପ୍ରଭା

ତବ ରାଜସଭା ପୁଣ୍ୟ-ସୌରଭା

ମହାକବି ମହାବୀର ସଜ୍ଜନେ,

ପୁଣି ଗୁଣବତୀ ନାରୀ-ରତନେ,

ସେ ସଭା ସଦା ଉଜ୍ଜ୍ୱଳ ।

ଭବିଷ୍ୟ ଭାରତୀ କବି-ପତିଙ୍କର

ତବ ଜୀବନେ ସଫଳ ।୧୨।

 

ଶ୍ୱେତଦ୍ୱୀପ ଦେବୀ ଲକ୍ଷ୍ମୀ-ରୂପିଣୀ,

କୋଟିବୃନ୍ଦ-ପଦ୍ମବନ-ବାସିନୀ,

ପୁଣ୍ୟମୟୀ ଦୁର୍ଗେ ନରସମାଜେ,

ବ୍ରିଟିଶକେଶରୀ ଶ୍ରୀପଦେ ରାଜେ

ଆଶମୃତ ନିସ୍ୟନ୍ଦିନୀ

ନିରାଶ ଭାରତେ ଆଶ୍ୱାସଦାୟିନୀ

ଦେବୀ ଭାରତୀରୂପିଣୀ ।୧୩।

 

ଶାନ୍ତି-ମନ୍ତ୍ର-ପୁତ ମହାଘୋଷଣା

ପ୍ରଚାରି ଭାରତେ ଦେଲ ସାନ୍ତ୍ୱନା

ସେ ଶୁଭ ଭାରତୀ-ବୀଣାର ସ୍ୱରେ

ଜାଗିଉଠେ ପ୍ରାଣ ଏ ଭାରତରେ,

ଧନ୍ୟ ସେ ଘୋଷଣାସ୍ୱନ,

ମୋହ-ଆବରଣ କରି ଉନ୍ମୋଚନ

ବିହେ ନବ ଜାଗରଣ ।୧୪।

 

ଗୃହେ ସୁଗୃହିଣୀ ସୁପତିବ୍ରତା,

ଜୀବନେ ମରଣେ ପତିଦେବତା,

ନତିପାଦପଦ୍ମେ ମତି ଯାହାର

କମଳେ କମଳାସମ ଉଦାର ।

ଚିରବୈଧବ୍ୟଶୋକରେ,

ପୁଣ୍ୟ ବ୍ରହ୍ମଚର୍ଯ୍ୟ ଆଚରିଲ ସତୀ

ମହାପ୍ରେମଭକ୍ତିରେ ।୧୫।

 

ଆସନ୍ତେ ପ୍ରାଣର ଅନ୍ତିମଯାମ

ଇଷ୍ଟମନ୍ତ୍ରରୂପେ ସ୍ୱାମୀଙ୍କ ନାମ

ପ୍ରେମେ ଜପି, କରି ଶାନ୍ତିବାଚନ

କଲ ଆନନ୍ଦରେ ସ୍ୱର୍ଗାରୋହଣ ।

ଧନ୍ୟ ଧନ୍ୟ ମହାସତୀ,

କାହିଁ ତବ ସମା ସମ୍ରାଜ୍ଞୀ ଜନନୀ

ପତିବ୍ରତା ପୁଣ୍ୟବତୀ ।୧୬।

 

ଚାହିଁରହିଥିଲ ସ୍ୱର୍ଗୀୟ ଆଶେ

ଯିବବୋଲି ପ୍ରିୟତମଙ୍କ ପାଶେ

ଯଥାକାଳେ ସ୍ୱର୍ଗେ ଭେଟିଲ ଯାଇ

ପ୍ରାଣ-ଅଭିରାମ ହୃଦୟ-ସାଇଁ

ଭେଟିଲେ ଆହା ଯେସନ

ଶ୍ରୀରାମେ ବୈଦେହୀ ଦଇବ ବିଧାନେ

ସହି ବିଚ୍ଛେଦ–କଷଣ ।୧୭।

Image

 

ଶୋକ-ଲହରୀ

 

(୧)

କି ଘୋର ବାରତା ଆଜି ଅଶନି-ନିର୍ଘାତେ

ପଶିଲା ଏ ଉତ୍କଳ-ଭବନେ !

ବିଦଳିତ କି ଦାରୁଣ ଶୋକଝଞ୍ଜାବାତେ

ଶତ ଆଶାଲତା ହୃଦବନେ !

ଉତ୍କଳ ଗଗନ-ରବି ଦେବ ଶ୍ରୀ ସୁଢ଼ଳ

ଅସ୍ତମିତ ଦିବା ଦ୍ୱିପହରେ ।

ଘୋର ଅନ୍ଧକାରେ ମଗ୍ନ କାତର ଉତ୍କଳ

ବିକଳେ କାନ୍ଦଇ ଆର୍ତ୍ତସ୍ୱରେ ।

ପୂରୁବେ ପଶ୍ଚିମେ ଆଜି ବିଳାପର ଧ୍ୱନି

କାନ୍ଦଇ ରେ ଉତ୍ତର ଦକ୍ଷିଣ,

ଆକୁଳେ କାନ୍ଦଇ ସର୍ବ ଉତ୍କଳ-ଅବନୀ

ଚଉଦିଗ ଶୋକେ ବିମଳିନ ।

(୨)

ସତେ କି ହେ ମହାରାଜ ଗଙ୍ଗବଂଶ-ରବି,

କୋଟି ନେତ୍ର-ନନ୍ଦନ ପ୍ରତିମା,

ବୁଧକୁଳ-ମାନନୀୟ ମନୀଷୀ ସୁକବି,

ସ୍ୱଦେଶର ଗୌରବ ଗରିମା,

ସତେ କି ହେ ପୁଣ୍ୟଶ୍ଳୋକ ପରଲୋକ ଦେଶେ,

ମହାପ୍ରସ୍ଥାନର ମହାପଥେ,

ଗଲ ଚାଲି ଏ ସଂସାର ତେଜିଣ ନିମେଷେ,

ସୁକୃତ-ପୁଷ୍ପକ-ପୁଣ୍ୟପଥେ ?

(୩)

ତେଜି ଶ୍ରୀ ସଚ୍ଚିଦାନନ୍ଦ ହୃଦୟ-ନନ୍ଦନେ,

ତେଜି ପ୍ରିୟ ସୁତ-ସୁତା-ଜାୟା,

ତେଜି ରାଜ୍ୟ ରାଜଦଣ୍ଡ ରାଜସିଂହାସନେ,

ତେଜି ସଂସାରର ସର୍ବମୟା,

ଏ ମର୍ତ୍ତ୍ୟଧାମର ସୀମା ଲଙ୍ଘିଣ କ୍ଷଣକେ

ଯାଇଅଛି ଚାଲି ମହାବାବୁ,

ସେ ଅଜ୍ଞାତଲୋକ       ପରଲୋକେ କି ଛଟକେ

ଯହୁଁ କେହି ନ ବାହୁଡ଼େ ଆଉ ।

ଯାଇଅଛ ଚାଲି ଦେବ ଚିରକାଳ ପାଇଁ

ଦିବ୍ୟଧାମ ଅମର-ନଗରେ,

ଏ ମର୍ତ୍ତ୍ୟ-ନୟନ ଆଉ ବିଲୋକିବ ନାହିଁ

ବୀର୍ଯ୍ୟଦୀପ୍ତ ତବ କଳେବର ।

 

(୪)

ଶାଳ-ପ୍ରାଂଶୁ ସେ ମୂରତି, ସେ ବକ୍ଷ-ବିପୁଳ,

ସେ ପ୍ରଶାନ୍ତ କରୁଣ ନୟନ,

ସେ ଦିବ୍ୟ ଆକାର, ଯହିଁ ଏକାଧାରେ ଠୁଳ

ଭୀମକାନ୍ତ ଗୁଣ ଅଗଣନ ।

ଆକାର-ସଦୃଶ-ପ୍ରାଜ୍ଞ ଥିଲ ନରମଣି,

ଶାସ୍ତ୍ରେ ଅକୁଣ୍ଠିତା ତବବୁଦ୍ଧି,

ଅନୁସରି ଜ୍ଞାନ-ଗର୍ଭ କର୍ମର ସରଣୀ

ବିଧିରେ ଲଭିଲ ମହାସିଦ୍ଧି ।

ଧନ୍ୟ ଧନ୍ୟ କ୍ଷଣଜନ୍ମା ଜନ୍ମି ରାଜବଂଶେ,

କ୍ଷଣସ୍ଥାୟୀ ମାନବ-ଜନମେ,

ମଣ୍ଡିଅଛ ମର୍ଯ୍ୟାଦାର ଯେଉଁ ଅବତଂସେ,

ଯେଉଁ ମହାପ୍ରୟାସ ବିକ୍ରମେ,

ସେହି ମହାପ୍ରୟାସର ପବିତ୍ର ସଂଯମେ

ଥିଲ ତୁମ୍ଭେ ମହାକର୍ମବୀର,

ଆଡ଼ମ୍ଭର-ଶୂନ୍ୟ ରାଜ-ଋଷି ରାଜ୍ୟାଶ୍ରମେ,

ଗୃହାଶ୍ରମେ ଆଦର୍ଶ ଗୃହୀର ।

 

 

(୫)

ରାଜକର୍ମ-କୋଳାହଳ ମଧ୍ୟେ ଥାଇ ସଦା

କେମନ୍ତେ ହେ କହ କର୍ମୀବର,

ଭେଟିଲ, ସେବିଲ ଦେବୀ ଭାରତୀ ବରଦା ?

ସୌଭାଗ୍ୟେ ଲଭିଲ ତାଙ୍କ ବର ।

ରୁଚିର ସଦ୍ଭାବ ରାଜ୍ୟେ, ହେ ରସଜ୍ଞ କବି,

ନିସର୍ଗର ସୌନ୍ଦର୍ଯ୍ୟ-ନିଳୟେ,

ଆନନ୍ଦେ ବିହରି କେତେ ସୁମନୋଜ୍ଞ ଛବି

ଚିତ୍ରିଲ ହେ କବିତା ନିଚୟେ,

ଉତ୍କଳର ସୁରଧୁନୀ ଉତ୍କଳ-ପାବନୀ

ମହାନଦୀ ‘‘ଚିତ୍ରୋତ୍ପଳା’’ ଚିତ୍ର,

ଶ୍ରୀକରେ ଚିତ୍ରିଲ ଚିନ୍ତି ଦିବସ ରଜନୀ

ମହାନଦୀ-ମହିମା ବିଚିତ୍ର ।

ଝାନ୍‍ସୀ‌ ରାଣୀ ଲକ୍ଷ୍ମୀବାଈ ଶୌର୍ଯ୍ୟ ସୁଚରିତ

ଶୁଣି ତବ କ୍ଷତ୍ରିୟ-ଶୋଣିତ

ସଘନେ ଉଠିଲା ନାଚି ତବ ବୀର-ଚିତ୍ତ

ଗାଇଲା ହେ ‘‘ବୀରବାମା’’ –ଗୀତ ।

ଉତ୍କଳ ସାହିତ୍ୟାକାଶେ ଉଇଁ ଶୁଭକ୍ଷଣେ

ଭାଷା-ଯୋଗେ ଭବିଷ୍ୟମିଳନେ

ସୁଚିଲ ହେ ଦୂରଦର୍ଶି, ଅରୁଣ ଯେସନେ

ସୂଚେ ମାଧ୍ୟଦିନ-ଆଗମନେ ।

ସୁଧୀ କବି-ଜନେ ଆହା କେତେ ସମାଦର

କରିଅଛି ହେ ଗୁଣ-ଗ୍ରାହକ,

ଗୁଣି ଗୁଣି ତବ ଗୁଣ କେତେ ଗୁଣିଙ୍କର

ବହଇ ହେ ନୟନୁ ଲୋତକ ।

(୬)

ବାମଣ୍ଡା-ଗୌରବ, ଦେବ, ବାମଣ୍ଡା-ମହିମା

ରାଜଧାନୀ ଦେବଗଡ଼ ଟେକ,

ଉତ୍କଳେ ଗୀର୍ବାଣ-ବିଦ୍ୟା- ଗୌରବ-ଗରିମା

ବଢ଼ାଇଲା ତୁମ୍ଭରି ବିବେକ ।

ପ୍ରତିଦିବସର ପ୍ରୀତି- ପୂର୍ଣ୍ଣ ପ୍ରୟାସରେ

ଯେ ରାଜ୍ୟ ପାଳିଲ ସୁମଙ୍ଗଳେ,

ତେଜି ତାକୁ ଅନ୍ତର୍ହିତ ହେଲ କ୍ଷଣକରେ

ବିରାଜିଲ ଏବେ ଦେବଦଳେ ।

ଏବେ ତବ ଲୋକଦ୍ୱୟ- ସାଧନୀ ଚାତୁରୀ

ଲଭିଅଛି ଅପୂର୍ବ ମହିମା,

ଦେବପୁରୀଯାଏ ତବ ଜୀବନ-ମାଧୁରୀ

ପ୍ରସାରିତ ଲଙ୍ଘି ମର୍ତ୍ତ୍ୟ-ସୀମା ।

(୭)

ବିରାଜ, ବିରାଜ ଦେବ ! ଅମର-ଭବନେ

ଶୁଭ ନବ ଦେବ-ମୂର୍ତ୍ତି ଲଭି,

ଉତ୍କଳର ଅଶ୍ରୁ-ଧୌତ ହୃଦୟ-ଗଗନେ

ପ୍ରତିଫଳୁ ତବ ଦେବ-ଛବି ।

ମହାମହେଶଙ୍କ ଶ୍ରୀଚରଣ- ଛାୟାତଳେ

ଲଭି ଦିବ୍ୟ ତେଜଃ-ପୁଞ୍ଜ କାନ୍ତି,

ଉଭାହୋଇ ଜ୍ୟୋତିର୍ମୟ ଦେବତାଙ୍କ ଦଳେ,

ଗାଅ ଦେବ ! ଓଁ ସ୍ୱସ୍ତି ଶାନ୍ତି ।

ସେହି ଶାନ୍ତି ମହାମନ୍ତ୍ର, ସେହି ସ୍ୱସ୍ତି-ଗାନ

ସନ୍ତପ୍ତ ଏ ସଂସାର-ଆଳୟେ

ସ୍ଫୁରୁ ନିତ୍ୟ, କରୁ ନିତ୍ୟ ଅଭୟ-ପ୍ରଦାନ

ମନୁଷ୍ୟର ହତାଶ ହୃଦୟେ ।

ସେ ସଙ୍ଗୀତ-ମନ୍ଦାକିନୀ କରୁ ମଧୁମୟ

ଲକ୍ଷ ଲକ୍ଷ ନକ୍ଷତ୍ର-ମଣ୍ଡଳ,

ସେ ପରମ ଘୋଷଣାର ଅମୃତ ଅଭୟ

ବ୍ୟାପୁ ବ୍ୟୋମ ବାୟୁ ଜଳ ସ୍ଥଳ ।

Image